22.1 C
Bhubaneswar
Tuesday, March 25, 2025
Homeଦେଶ ବିଦେଶହନିଟ୍ରାପ୍ ପ୍ରସଙ୍ଗରେ କମ୍ପିଲା କର୍ଣ୍ଣାଟକ ବିଧାନସଭା

ହନିଟ୍ରାପ୍ ପ୍ରସଙ୍ଗରେ କମ୍ପିଲା କର୍ଣ୍ଣାଟକ ବିଧାନସଭା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ସମ୍ପ୍ରତି ବଜେଟ୍ ଅଧିବେଶନ ଉପରେ ଆଲୋଚନା ଜାରି ରହିଥିବା ବେଳେ ଏପରି ଏକ ସମୟରେ ହନିଟ୍ରାପ୍‌’ ଭଳି ଅଭିଯୋଗ ସାମ୍ନାକୁ ଆସିଛି। ରାଜ୍ୟର ପ୍ରାୟ ୪୮ ନେତା (ଶାସକ ଦଳ ଏବଂ ବିରୋଧୀ ଦଳର ନେତା) ହନିଟ୍ରାପ୍‌ର ଶିକାର ହୋଇଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଗୃହରେ ରାଜନୈତିକ ତାତି ଜୋର ଧରିଛି। ରିପୋର୍ଟ ଅନୁସାରେ କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍ ରାଜନ୍ନା ଆଜି ବିଧାନସଭାରେ ବିସ୍ଫୋରକ ଦାବି କରିଛନ୍ତି। ତାଙ୍କ ଉପରେ ହନିଟ୍ରାପ୍ ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି। ତେବେ କେବଳ ସେ ଏକାକୀ ନୁହନ୍ତି ବରଂ ରାଜ୍ୟର ଅନ୍ୟ ମନ୍ତ୍ରୀ ଓ ନେତାଙ୍କ ସମେତ କିଛି କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି ବୋଲି ସେ କହିଛନ୍ତି। ହନିଟ୍ରାପ୍‌ରେ ୪୮ ଜଣ ନେତା ଫସିଛନ୍ତି ବୋଲି ସେ ବିବୃତି ଦେଇଛନ୍ତି। ସବୁଠୁ ବଡ଼କଥା ହେଉଛି ସେ ହନିଟ୍ରାପ୍‌ର ଶିକାର ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ସାମିଲ ଥିବା ରାଜନ୍ନା କହିବା ପରେ ଗୃହରେ ଏହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି।

ଅନ୍ୟପକ୍ଷେ ଏହି ଘଟଣାର ତଦନ୍ତ ପାଇଁ ଦାବି ହେବା ପରେ ଗୃହମନ୍ତ୍ରୀ ଜି ପରମେଶ୍ୱର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଜେଟ୍ ଅଧିବେଶନ ଆଲୋଚନା ସମୟରେ ବିଜୟପୁରା ବିଧାୟକ ବସନଗୌଡ଼ା ପାଟିଲ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ସମବାୟ ମନ୍ତ୍ରୀଙ୍କୁ ହନିଟ୍ରାପ୍ କରିବାପାଇଁ ଉଦ୍ୟମ ହୋଇଥିଲା। ସେହିଭଳି ବିଜେପି ନେତା ତଥା ବିରୋଧୀ ଦଳ ନେତା ଆର୍ ଅଶୋକା ଏହି ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ହେବା ଆବଶ୍ୟକ ବୋଲି କହିଛନ୍ତି। ସରକାର ଏଭଳି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ଅନ୍ୟପକ୍ଷେ ବିରୋଧୀ ଦଳ ବିଜେପି ଓ ଜେଡିଏସ୍ ଦଳର ବିଧାୟକମାନେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବାପୂର୍ବକ ଗୃହରେ ହୋହଲ୍ଲା ତଥା ହଙ୍ଗାମା ଆଦି କରିବା ଯୋଗୁ ସେମାନଙ୍କ ମଧ୍ୟରୁ ପ୍ରାୟ ୧୮ଜଣଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଏହି ବିଧାୟକମାନଙ୍କୁ ବିଧାନସଭା ହଲ୍‌, ଲବି ଏବଂ ଗ୍ୟାଲେରୀରେ ପ୍ରବେଶ କରିବାରୁ ବାରଣ କରାଯାଇଛି, ଏବଂ ସେମାନେ ଯେଉଁ ବିଧାନସଭା କିମ୍ବା ବିଧାନସଭାର ସଦସ୍ୟ, ତାହାର ସ୍ଥାୟୀ କମିଟି ବୈଠକରେ ଯୋଗଦେବାରୁ ମଧ୍ୟ ବାରଣ କରାଯାଇଛି। ୨୧ ମାର୍ଚ୍ଚ, ୨୦୨୫, ଶୁକ୍ରବାର, ବେଙ୍ଗାଲୁରୁରେ କର୍ଣ୍ଣାଟକ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ମାର୍ଶାଲମାନଙ୍କ ଦ୍ୱାରା ବିଜେପି ବିଧାୟକମାନଙ୍କୁ ବାହାର କରାଯାଉଥିବାର କିଛି ଫଟୋ ସାମ୍ନାକୁ ଆସିଛି। କର୍ଣ୍ଣାଟକ ବିଧାନସଭା ବାଚସ୍ପତି ୟୁଟି ଖାଦର ‘ଅନୁଶାସନହୀନତା’ ଏବଂ ‘ସଦନର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା’ ଅଭିଯୋଗରେ ଦଳର ୧୮ ଜଣ ବିଧାୟକଙ୍କୁ ତୁରନ୍ତ ପ୍ରଭାବରୁ ୬ମାସ ପାଇଁ ନିଲମ୍ବିତ କରିଥିଲେ। ତଥାପି ଏମାନେ ଗୃହରେ ହୋହଲ୍ଲା କରିବାରୁ ମାର୍ଶଲମାନେ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ବାହାରକୁ ନେଇଯାଇଥିଲେ। ବିରୋଧୀ ବିଧାୟକମାନେ ଗୃହ ମଧ୍ୟଭାଗରେ କାଗଜପତ୍ର ଚିରି ବାଚସ୍ପତିଙ୍କ ଚୌକି ଆଡ଼କୁ ଫିଙ୍ଗିବାରୁ ବାଚସ୍ପତି ବିଧାନସଭାର କାର୍ଯ୍ୟବିଧି ଏବଂ ଆଚରଣ ନିୟମର ନିୟମ ୩୪୮ ଅନୁଯାୟୀ ଏପରି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking