ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ସୋମବାର ରାତିରେ ଭୁମିକମ୍ପ ପରେ ଅରାଜକତା ସୃଷ୍ଟି ହୋଇଛି । ୨୦୦ରୁ ଅଧିକ କଏଦୀ କରାଚୀର ଉଚ୍ଚ ସୁରକ୍ଷା ମାଲିର ଜେଲରୁ ଖସି ପଳାଇଛନ୍ତି । ସେହି ସମୟରେ ପୋଲିସ ଗୁଳି ବିନିମୟ କରିଥିଲା । ଫଳରେ ଅନେକ କଏଦୀ ଆହତ ହୋଇଥିଲେ । ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାକୁ ନେଇ କରାଚୀକୁ ପୁରାପୁରି ହାଇ ଆଲର୍ଟରେ ରଖାଯାଇଛି । ଭୁମିକମ୍ପ ଯୋଗୁଁ ଏନେକ କଏଦୀ ମୁଖ୍ୟ ଫାଟକ ଦେଇ ଖସି ପଳାଇଛନ୍ତି । ସେଠାରୁ ଅସ୍ତ୍ର ଶସ୍ତ୍ର ଜବତ କରି ଅଧିକାରୀଙ୍କ ଉପରେ ଗୁଳି ଚଳାଇଥିଲେ । କଏଦୀମାନେ ରାସ୍ତାରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପୋଲିସ ଖୋଜାଖୋଜି କରିବାରେ ଲାଗିଛି । ହେଲେ ସାଧାରଣ ନାଗରିକ ଆତଙ୍କିତ ହୋଇପଡିଛନ୍ତି । ଏହି ଅଭିଯାନରେ ରେଞ୍ଜର୍ସ , ପୋଲିସ, ଏଫସି ସମେତ ସମସ୍ତ ସୁରକ୍ଷା ବାହିନୀ ତଲାସୀ ଆରମ୍ଭ କରିଥିଲେ ା ମଙ୍ଗଳବାର ସକାଳ ସୁଦ୍ଧା ୭୫ ଜଣ କଏଦୀଙ୍କୁ ଗିରଫ କରାଯାଇଛି । ସହର ବ୍ୟାପୀ ଚେକପୋଷ୍ଟ ସ୍ଥାପନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେଠାକାର କର୍ତ୍ତୁପକ୍ଷ ନିଶ୍ଚିତ କରିଛନ୍ତି ଯେ ଖସି ପଳାଇଥିବା କଏଦୀଙ୍କୁ ଖୋଜି ଧରିବା ପାଇଁ ପ୍ରୟାସ ଜାରି ରହିଛି । ସେମାନଙ୍କୁ ଅତି ସହଜରେ ଧରିବା ପାଇଁ ସେମାନଙ୍କ ପରିଚୟ ଏବଂ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି ।









