ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କୋଇଡା ଥାନା ପାଟମୁଣ୍ଡା ପଞ୍ଚାୟତ ଖଜୁରଡିହି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପରକୀୟା ପ୍ରୀତିକୁ ନେଇ ଉକ୍ତ ଗ୍ରାମବାସୀ ଜଣେ ଶିକ୍ଷକଙ୍କୁ କଙ୍ଗାରୁକୋର୍ଟ ନିଷ୍ପତ୍ତି ଅନୁଯାୟୀ ଜୋତା ମାଳ ପିନ୍ଧାଇ ଗାଁରେ ବୁଲାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଘଟଣାରେ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ ଖଜୁରଡିହି ସେବାଶ୍ରମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ସେବକ ରହିତ କୁମାର ରାୟଙ୍କୁ ଆଜି ବିଦ୍ୟାଳୟ ପରିସର ବାହାରେ ଗ୍ରାମର ମହିଳା ଓ ପୁରୁଷ ଜୋତାମାଳ ପିନ୍ଧାଇ ମାଡ ମାରିବା ସହ ଗ୍ରାମ ପରିକ୍ରମା କରାଇଥିଲେ। ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ପାଟମୁଣ୍ଡିଙ୍କ ବୟାନ ଅନୁଯାୟୀ ଶିକ୍ଷକ ଜଣଙ୍କ ଶିକ୍ଷାଦାନରେ ମନୋନିବେଶ ନ କରି ସର୍ବଦା ପର ଝିଅ,ସ୍ତ୍ରୀଙ୍କୁ ଅସଦାଚରଣ କରି ଆସୁଥିଲେ। ଏପରିକି ସେବାଶ୍ରମରେ ନିୟୋଜିତ ରୋଷେୟାଙ୍କ ସହ ଦୀର୍ଘ ମାସ ଧରି ଖରାପ ସମ୍ପର୍କ ରଖି ଜଣଙ୍କ ଘର ସଂସାର ଭାଙ୍ଗି ସ୍ୱାମୀ ଓ ତିନି ଝିଅଙ୍କ ଠାରୁ ଅଲଗା କରିଦେଲେ ବୋଲି ଅଭିଯୋଗ ହୋଇଛି। ସେତିକିରେ ମନ ବୁୁଝିଲାନି ପୁଣି ସ୍ୱାମୀଙ୍କୁ ମାରିବାକୁ ଖୋଲା ଧମକ୍ ଦେଇଥିଲେ। ସେହି ରାଗରେ ଗାଁ ଲୋକେ ଏମିତି ଚରମ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।










