ମୟୂରଭଞ୍ଜ : ପ୍ରକୃତିର କରାଳ ରୂପ। ତାଣ୍ଡବ ରଚିଲା କାଳ ବୈଶାଖୀ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦିନିଆ ଝଡବର୍ଷା ସାଙ୍ଗକୁ କୁଆପଥର ମାଡ କରି ତାଣ୍ଡବ ଲୀଳା ରଚିଛି କାଳ ବୈଶାଖୀ। ତେବେ ଗତକାଲି ସନ୍ଧ୍ୟା ୯ ଟା ସମୟରେ ବାଙ୍ଗିରିପୋଷି, ବିଶୋଇ, କୁଳିଅଣା ବ୍ଲକରେ କାଳବୈଶାଖୀ ରଚିଥିଲା ତାଣ୍ଡବ ଲୀଳା। କୁଆପଥର ମାଡ଼ରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। କିଛି କିଛି କୁଆ ପଥର ଓଜନ ୭ ଶହ ରୁ ୮ ଶହ ଗ୍ରାମ ହେବ ବୋଲି ଜଣାପଡିଛି। ଏହି କୁଆପଥର ମାଡ଼ରେ ଶତାଧିକ ଲୋକେ ଆହତ ହୋଇଥିବା ଜଣାପଡିଛି। ଗତକାଲି ଅଧଘଣ୍ଟା ଧରି ଲାଗିରହିଥିବା ବର୍ଷା ସହ କୁଆପଥର ମାଡ଼ରେ ବିଶୋଇ ବ୍ଲକ ଅନ୍ତର୍ଗତ କଦମବେଡ଼ା ପଞ୍ଚାୟତର ମୂଷାମାରି, ପୁଣ୍ଡିଚା, ଅନ୍ୟ ଗ୍ରାମ ଗୁଡ଼ିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। କୁଆପଥର ମାଡରେ ଶହଶହ ଟାଇଲ, ଆଜବେଷ୍ଟସ ଓ ଖପର ଘର ଭାଙ୍ଗି ଚୁର୍ମାର ହୋଇଯାଇଛି। ଲୋକେ ଘରେ ଶୋଇଥିବା ସମୟରେ ପ୍ରକୃତି ଦେଖାଇଥିଲା ତାର କୋରାଳ ରୂପ।
କୁଆପଥର ଏତେ ବଡ଼ ଆକାରରେ ଥିଲା ଯେ ଲୋକେ ତ୍ରାହି ତ୍ରାହି ଡାକିଥିଲେ। ଠିକ୍ ସେହିପରି ବାଙ୍ଗିରୀପୋଷୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କୁଆପଥର ମାଡରେ ଅନେକ ଗାଡିର କାଚଭାଙ୍ଗି ଯାଇଥିଲା। କୁଆପଥର ମାଡ ଏତେ ପରିମାଣରେ ହୋଇଥିଲା ଯେ ଅଧଘଣ୍ଟା କାଳ ଅଞ୍ଚଳ ପୁରା ସ୍ତବ୍ଧ ହୋଇଯାଇଥିଲା। ଆହତ ଲୋକଙ୍କୁ ବାରିପଦା ମୁଖ୍ୟ ଚିକତ୍ସାଳୟକୁ ଅଣା ଯାଇଥିଲା। ଅନ୍ୟ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ସରକାରୀ ବିଦ୍ୟାଳୟ ଗୁଡିକରେ ରଖାଯାଇଥିବା ସୂଚନା ମିଳିଛି । ସେହିପରି ଅଦିନିଆ ବର୍ଷା,ଝଡ ତୋଫାନ ସାଙ୍ଗକୁ କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇ ବାସହରା ହୋଇଥିବା ବହୁ ପରିବାର ସରକାରୀ କ୍ଷତିପୂରଣ ଦାବିରେ ୪୯ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ମାତ୍ର ସ୍ଥାନୀୟ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହ ଆଲୋଚନା କରି ଅବରୋଧ ହଟାଇବା ପରେ ଗାଡ଼ିମଟର ଚଳାଚଳ ସ୍ଵାଭାବିକ ହୋଇଥିଲା। ଅନ୍ୟପଟେ ପ୍ରଭାବିତ ଅଞ୍ଚଳ ଗସ୍ତରେ ଆଜି ରାଜସ୍ବମନ୍ତ୍ରୀ ଆସି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡିଛି ।