କଟକ: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମାମଲାରେ ବିଜୟୀ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପକ୍ଷରୁ ବିନା ଶୁଣାଣିରେ ଦୀପାଳିଙ୍କ ଆବେଦନ ଖାରଜ କରିବାକୁ ହୋଇଥିôବା ପ୍ରାର୍ଥନାକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଅନ୍ୟପକ୍ଷରେ ଟଙ୍କଧରଙ୍କ ବିରୋଧରେ ରୁଜୁ ମାମଲାର ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟ କହିଛନ୍ତି । ସେହିପରି ଟଙ୍କଧରଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ପରାଜିତ ପ୍ରାର୍ଥୀ ଦୀପାଳି ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଉପରୋକ୍ତ ଆଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ୍ ୨୪ ତାରିଖରେ ହେବ ବୋଲି ସମୟ ଧାର୍ଯ୍ୟ କରିଛନ୍ତି ।
ସୂଚନାଥାଉକି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପରାଜିତ ପ୍ରାର୍ଥୀ ଦୀପାଳି ଦାସ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଟଙ୍କଧର ତଥ୍ୟ ଲୁଚାଇବା ସହିତ ଏହି ନିର୍ବାଚନରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ଦୀପାଳି ଦର୍ଶାଇଛନ୍ତି । ଏପରି କ୍ଷେତ୍ରରେ ବିଜୟୀ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନକୁ ଖାରଜ କରିବାକୁ ସେ ଆବେଦନ କରିଛନ୍ତି । ଦୀପାଳି ଦାସ ଦର୍ଶାଇଛନ୍ତି ଯେ ନାମାଙ୍କନପତ୍ର ଦାଖଲ କଲାବେଳେ ଟଙ୍କଧର ତ୍ରିପାଠୀ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏହା ଅସତ୍ୟ ତଥ୍ୟ ଉପରେ ଆଧାରିତ । ବିଶେଷ କରି ଶ୍ରୀ ତ୍ରିପାଠୀଙ୍କ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କରେ ସେ ସବିଶେଷ ତଥ୍ୟ ପ୍ରଦାନ କରିନାହଁନ୍ତି ବୋଲି ରୁଜୁ ମାମଲାରେ ଦର୍ଶାଯାଇଛି ।