26.1 C
Bhubaneswar
Sunday, March 1, 2026
Homeଖେଳଧୋନିଙ୍କୁ ଝାଡ଼ଖଣ୍ଡ ହାଉସିଂ ବୋର୍ଡର ନୋଟିସ୍‌

ଧୋନିଙ୍କୁ ଝାଡ଼ଖଣ୍ଡ ହାଉସିଂ ବୋର୍ଡର ନୋଟିସ୍‌

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଉସିଂ ବୋର୍ଡ ନୋଟିସ୍ ଜାରୀ କରିଛି। ମାମଲା ଝାଡ଼ଖଣ୍ଡର ହରମୁ ଅଞ୍ଚଳରେ ସ୍ଥିତ ଏଚ୍‌-୧୦ଏ ଆବାସୀୟ ପ୍ଲଟ୍ ସହ ଜଡ଼ିତ। ବୋର୍ଡ ଅଭିଯୋଗ କରିଛି ଯେ ଏହି ପ୍ଲଟ୍ କେବଳ ଆବାସୀୟ ଉଦ୍ଦେଶ୍ୟରେ ଆବଣ୍ଟିତ କରାଯାଇଥିବା ବେଳେ ବର୍ତ୍ତମାନ କଥିତ ଭାବେ ସେଠାରେ ଏକ ପାଥୋଲୋଜି ଲ୍ୟାବ୍ ସଞ୍ଚାଳିତ ହେଉଛି। ଅଧିକାରୀଙ୍କ ଅନୁସାରେ ଏହା ଆବଣ୍ଟନ ସର୍ତ୍ତର ଉଲ୍ଲଂଘନ। ନୋଟିସ୍‌ରେ ଧୋନିଙ୍କୁ ଏ ସମ୍ବନ୍ଧରେ ସ୍ପଷ୍ଟୀକରଣ ମଗାଯାଇଛି। ବୋର୍ଡ ସ୍ପଷ୍ଟ କରିଛି ଯେ ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳେ, ତେବେ ଆବଣ୍ଟନ ରଦ୍ଦ କରିବାକୁ ସୁପାରିସ କରାଯାଇପାରେ। ନୋଟିସ୍‌ରେ ଧୋନିଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

ତାଙ୍କ ସ୍ପଷ୍ଟୀକରଣ ଆଧାରରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ଥିର କରାଯିବ। ସୂଚନା ଅନୁସାରେ ଧୋନି ହରମୁସ୍ଥିତ ଘରେ ରହନ୍ତି ନାହିଁ। ସେ ରିଙ୍ଗ୍‌ରୋଡ୍‌ରେ ନିଜ ଫାର୍ମହାଉସ୍ ନିର୍ମାଣ କରିଛନ୍ତି ଏବଂ ରାଞ୍ଚି ପ୍ରବାସ ଅବସରରେ ସେଠାରେ ରହିଥାନ୍ତି। ଏବେ ସମସ୍ତଙ୍କ ନଜର ତାଙ୍କ ଜବାବ ଉପରେ ରହିଛି। ଯଦି ହାଉସିଂ ବୋର୍ଡକୁ ତାଙ୍କ ଉତ୍ତର ସନ୍ତୋଷଜନକ ନଲାଗେ, ତେବେ ଆବଣ୍ଟନ ରଦ୍ଦ ପ୍ରକ୍ରିୟା ଆଗକୁ ବଢ଼ିପାରେ। ସୂତ୍ର ଅନୁସାରେ ଆବାସୀୟ ପ୍ଲଟ୍‌ର ଉପଯୋଗ ବ୍ୟବସାୟିକ ଗତିବିଧି ପାଇଁ କରାଯାଉଥିବା ପରି କେତେକ ମାମଲାର ହାଉସିଂ ବୋର୍ଡ ନିକଟରେ ସମୀକ୍ଷା ଆରମ୍ଭ କରିଛି। ଅଧିକାରୀଙ୍କ କହିବା କଥା ହେଉଛି ନିୟମର ଉଲ୍ଲଂଘନ କାହାରି ପାଇଁ ସ୍ୱୀକାର୍ଯ୍ୟ ନୁହେଁ, ତେଣିକି ସେ ସାଧାରଣ ନାଗରିକ ହୁଏନ୍ତୁ କିମ୍ବା କୌଣସି ଚର୍ଚ୍ଚିତ ହସ୍ତୀ। ବୋର୍ଡର ଉଦ୍ଦେଶ୍ୟ ଆବଣ୍ଟନର ସର୍ତ୍ତକୁ କଡ଼ାକଡ଼ି ଲାଗୁ କରିବା। ଉଲ୍ଲେଖଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଧୋନିଙ୍କ ଉପଲବ୍ଧିର ପ୍ରଶଂସା କରିବା ସହିତ ତାଙ୍କୁ ଝାଡ଼ଖଣ୍ଡର ଗୌରବ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking