ସୋର: ଦୋକାନରୁ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲାର ଏକ ଅଳଙ୍କାର ଦୋକାନରେ ଘଟିଛି ଏହି ଅଭାବନୀୟ ଘଟଣା। ସୋରୋ ଥାନା ସୀମା ଅନ୍ତର୍ଗତ କେଶରୀପୁର ଅଞ୍ଚଳର ଫାଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲର୍ସରେ ଏହି ଲୁଟ ହୋଇଛି। ନୀଳମଣି ଜୁଏଲାରୀ ଦୋକାନର ମାଲିକ ରାଜେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ସେ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଚାଲିଯାଇଥିଲେ। କିନ୍ତୁ, ଆଜି ସକାଳେ ପାଖରେ ଥିବା କିଛି ଦୋକାନୀ ସେମାନଙ୍କ ଦୋକାନକୁ ଯିବା ପରେ ସେମାନେ ଦେଖିଲେ ଯେ ନୀଳମଣି ଜୁଏଲର୍ସର କାନ୍ଥ ଭାଙ୍ଗି ଯାଇଛି।
ଏହା ଦେଖି ତୁରନ୍ତ ସେମାନେ ଦୋକାନର ମାଲିକ ରାଜେନ୍ଦ୍ରଙ୍କୁ ଜଣାଇଥିଲେ। ଦେଖାଯାଉଥିଲା ଯେ ଦୁର୍ବୃତ୍ତମାନେ ଇଲେକ୍ଟ୍ରିକ୍ କଟର ସାହାଯ୍ୟରେ କାନ୍ଥ ଭଙ୍ଗାରୁଜା କରିଛନ୍ତି। ପରେ, ମାଲିକ ରାଜେନ୍ଦ୍ର ଏ ସମ୍ପର୍କରେ ସୋରୋ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ ଦାବି କରାଯାଇଛି ଯେ ଦୋକାନରୁ ୫୦୦ ଗ୍ରାମ ସୁନା ଅଳଙ୍କାର, ୫ କିଲୋ ରୂପା ଅଳଙ୍କାର ଏବଂ ୧୦,୦୦୦ ଟଙ୍କା ଲୁଟ୍ ହୋଇଛି। ଅଭିଯୋଗ ପାଇବା ପରେ ସୋରୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ବୋଲି ପୋଲିସ ଆଇଆଇସି ସୂଚନା ଦେଇଛନ୍ତି।










