ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ପୂରଣ ପଞ୍ଚାୟତର ଦଣ୍ଡାସାହି ଗାଁରେ ଜଣ୍ଡିସ ଆତଙ୍କ । ଏକ ମାସ ଧରି ଜଣ୍ଡିସ ସଂକ୍ରମଣ ଲାଗି ରହିଥିବା ବେଳେ ଗତ ୫ ଦିନ ମଧ୍ୟରେ ୭ ଜଣରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପୁଥିବାର ଆଶଙ୍କା କରାଯାଇଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଣରେ ବିଳମ୍ବ ଯୋଗୁଁ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପଟେ କିଛି ଜଣ୍ଡିସ ଆକ୍ରାନ୍ତ ରୋଗୀ ଚେରମୁଳି ବା ଝଡାଫୁଙ୍କା କୁ ଭରସା କରି ଦିନ କାଟୁଥିବା ବେଳେ ପାନୀୟ ଜଳର ନମୁନା ପରୀକ୍ଷାରୁ ରିପୋର୍ଟ ଠିକ୍ ରହିଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଏହି ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ ପହଞ୍ଚି ଚିକିତ୍ସା କରିବା ସହିତ ସନ୍ଦିଗ୍ଧ ରୋଗୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ଚିକିତ୍ସା କରୁଛନ୍ତି ।










