ଭୁବନେଶ୍ଵର: ଆଧୁନିକ ଓଡ଼ିଶାର ନିର୍ମାତା ମହାନ ଜନନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ ସ୍ଵର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ସମାରୋହର ଉଦ୍ଘାଟନ ଉତ୍ସବ ଆସନ୍ତା ଜାନୁୟାରୀ ମାସ ୩ ତାରିଖ ଦିବା ୧୧ ଘଟିକା ସମୟରେ ଭୁବନେଶ୍ଵର ସ୍ଥିତ ୟୁନିଟି-୩ କ୍ୟାପିଟାଲ ହାଇସ୍କୁଲ ପଡ଼ିଆ ପରିସରରେ ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ପାଳନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶତବାର୍ଷିକ କମିଟିର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ଓଡ଼ିଶା ମାଟିକୁ ଭଲ ପାଉଥିବା ଓଡ଼ିଶାର ବିକାଶକୁ ଆଗେଇ ନେଇଥିବା ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ତଥା ଓଡି଼ଶାର ବିକାଶ ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର, ଫଟୋ ଚିତ୍ର ପଦର୍ଶନୀ ସହିତ ଏକ ସଂକ୍ଷିପ୍ତ ପୁସ୍ତକ ଉନ୍ମୋଚନ କରାଯିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ବର୍ଗର ନେତୃବର୍ଗଙ୍କ ସମେତ ଭାରତ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପଦ୍ୟୋଗୀ, ଶିକ୍ଷାବିତ୍, ସମାଜସେବୀ, ସାହିତ୍ୟିକ, ସମସ୍ତ ଦଳର ରାଜନେତା, ସଂସ୍କୃତି ପ୍ରେମୀ ତଥା ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଅତିଥି ରୂପେ ଯୋଗଦାନ କରିବା ପାଇଁ ନିମନ୍ତ୍ରିତ କରାଯାଇଅଛି। କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ ଜାନକୀ ବଲ୍ଲଭ ପ୍ରେମୀଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରିବା ନିମନ୍ତେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମୀଳନୀରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଶତବାର୍ଷିକୀ କମିଟି ପକ୍ଷରୁ ଡଃ ଆର୍ୟ କୁମାର ଜ୍ଞାନେନ୍ଦ୍ର, ସଞ୍ଜୟ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ(କନିଷ୍ଠ), ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର, ପ୍ରଶାନ୍ତ ଶତପଥି, ରଜନୀ କୁମାର ମହାନ୍ତି ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।










