ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ୍ରେ ସଂଶୋଧନ କରିଛି । ଏଥିରେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ କ୍ଷମତାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଣିକି ଦିଲ୍ଲୀ ଭଳି ଜମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ମିଳିବା ସହ ଏଠାକାର ଉପ ରାଜ୍ୟପାଳଙ୍କୁ ମଧ୍ୟ ଦିଲ୍ଲୀ ଉପ ରାଜ୍ୟପାଳଙ୍କ ଭଳି ପ୍ରଶାସନିକ କ୍ଷମତା ମିଳିବ । ସିଧାସଳଖ କହିଲେ ଜମ୍ମୁ-କାଶ୍ମୀରରେ ଏଣିକି ଉପ ରାଜ୍ୟପାଳଙ୍କ ବିନା ଅନୁମତିରେ ସ୍ଥାନୀୟ ସରକାର କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ପ୍ରଦେଶ ସରକାରଙ୍କ ସମସ୍ତ ନିଷ୍ପତ୍ତି ଉପରେ ତର୍ଜମା ତଥା ଅନୁସନ୍ଧାନ କରିବାର ଏକଚାଟିଆ ଅଧିକାର ଉପରାଜ୍ୟପାଳଙ୍କ ଅଧିକାର ଅନ୍ତର୍ଭୁକ୍ତ ହେବ । ସରକାରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କର ବଦଳି ଓ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଉପରାଜ୍ୟପାଳଙ୍କ ଜ୍ଞାତସାରରେ ହେବ । ଉପରାଜ୍ୟପାଳଙ୍କ ବିନା ଅନୁମୋଦନ କିମ୍ବା ସ୍ୱୀକୃତିରେ ପ୍ରଦେଶ ସରକାର କିଛି ବି କରିପାରିବେ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏଥିରେ ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ ଅନୁଯାୟୀ ସଂଶୋଧିତ ନିୟମାବଳୀକୁ ସୂଚିତ କରାଯାଇଛି, ଯେଉଁଥିରେ ଲ୍ୟୁଟିନାଣ୍ଟ ଗଭର୍ଣ୍ଣର ବା ଉପ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନ ପୂର୍ବକ ନୂତନ ବିଭାଗ ଅନ୍ତର୍ଭୂକ୍ତ କରାଯାଇଛି । ଏତଦ୍ବ୍ୟତୀତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ବ୍ୟବସାୟ ନିୟମ ଅନ୍ତର୍ଗତ ବ୍ୟବସାୟିକ ଆର୍ଥିକ କାରବାର (ଟ୍ରାଞ୍ଜାକସନ୍ ଅଫ୍ ବିଜନେସ୍ ରୁଲ୍ସ)ରେ ମଧ୍ୟ ସଂଶୋଧନ କରିଛନ୍ତି ।
ଅନ୍ୟପକ୍ଷେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଜମ୍ମୁ କାଶ୍ମୀରର ଲୋକମାନେ ଏକ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ଚାହିଁବେ ନାହିଁ, ଯିଏ ତାଙ୍କ ପିଅନ ନିଯୁକ୍ତି ପାଇଁ ମଧ୍ୟ ଉପରାଜ୍ୟପାଳଙ୍କ ଠାରୁ ଅନୁମତି ନେବାକୁ ପଡିବ । ପ୍ରକାଶ, ଜାମ୍ମୁ-କାଶ୍ମୀର ପୁନର୍ଗଠନ ହେବା ପରଠାରୁ ସେଠାରେ ବିଧାନସଭା ନିର୍ବାଚନ ହୋଇନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଯେବେଠାରୁ ନିର୍ବାଚନ ହେବ ସେବେଠାରୁ ସରକାର ଗଠନ ହେବ । ମାତ୍ର ସରକାରଙ୍କ ତୁଳନାରେ ଉପ ରାଜ୍ୟପାଳଙ୍କ ନିକଟରେ ଅଧିକ କ୍ଷମତା ରହିବ । ସୂଚନାଯୋଗ୍ୟ, ଉପ ରାଜ୍ୟପାଳଙ୍କ ଏହି କ୍ଷମତା ସମ୍ପର୍କରେ ୨୦୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସୂଚିତ କରାଯାଇଥିଲା, ଯାହାକି ସଂଶୋଧନ ଆଳରେ ନୂତନ ଭାବରେ ସୂଚୀତ କରାଯାଇଛି ।










