ଶ୍ରୀନଗର: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ପକ୍ଷରୁ ଆଜି ନିର୍ବାଚନ ଇସ୍ତାହାର ଜାରି କରାଯାଇଛି। ଏଥିରେ ଜେଲରେ ଥିବା ଲୋକଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବା, ମନ୍ଦିର, ମସଜିଦ ଓ ଗୁରୁଦ୍ୱାରାଗୁଡ଼ିକୁ ମାଗଣା ବିଦ୍ୟୁତ୍ ସଂଯୋଗୀକରଣ ସହ ସ୍ଥାନୀୟ ନାଗରିକଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ମାଗଣାରେ ଯୋଗାଇଦେବ ବୋଲି ପିଡିପି ପ୍ରତିଶ୍ରୁତି ଦେଇଛି। ସେହିପରି ପଡୋଶୀ ଦେଶ ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ କରିବାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ପିଡିପି ପ୍ରତିଶ୍ରୁତି ଦେଇଛି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫ୍ତି ଆଜି ଶ୍ରୀନଗର ଠାରେ ଦଳୀୟ ଇସ୍ତାହାରକୁ ଜାରି କରିଛନ୍ତି।
ଏହି ଅବସରରେ ମେହବୁବା କହିଛନ୍ତି ଯେ, ‘ଆମେ ସମନ୍ୱୟ ଓ ଆଲୋଚନା ଚାହୁଁଛୁ। ଆମେ ଚାହୁଁ ଏଲଓସିର ଏପଟ ଆଉ ସେପଟ ଲୋକଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହେଉ। ପିଓକରେ ଥିବା ଶାରଦା ପୀଠକୁ ରାସ୍ତା ଖୋଲୁ। ଏହାଦ୍ୱାରା କାଶ୍ମୀରୀ ପଣ୍ଡିତମାନେ ସେଠାକୁ ଯାଇପାରିବେ। ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ ହେଉ। ତେବେ ପିଡିପି କ୍ଷମତାକୁ ଆସିଲେ ଏସବୁ ସମ୍ଭବ ହୋଇପାରିବ। ମେହବୁବା ମୁଫ୍ତି ନିଜ ଦଳୀୟ ଇସ୍ତାହାର ମାଧ୍ୟମରେ ଘୋଷଣା କରିଛନ୍ତି ଯେ ଯଦି ଆମେ କ୍ଷମତାକୁ ଆସିବୁ, ତା’ହେଲେ ସମସ୍ତଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ମିଳିବ। ଏହା ସହିତ ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହେବ। ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସମ୍ମାନ ବୃଦ୍ଧି ପାଇଁ ପିଡିପି ସରକାର ପଦକ୍ଷେପ ଗ୍ରହଣ କରିବ। ଜମାତ୍-ଇ-ଇସ୍ଲାମୀ ଉପରେ ଲାଗିଥିବା ବ୍ୟାନ୍କୁ ହଟାଇବାକୁ ଓ ସେମାନଙ୍କ ସମ୍ପତ୍ତି ଫେରାଇବାକୁ ଚେଷ୍ଟା କରାଯିବ। ପାଣି ଉପରେ ଲାଗୁଥିବା ଟିକସ ହଟାଇ ଦିଆଯିବ। ପିଡିପି ପୁଣିଥରେ ମୁଫତି ମହମ୍ମଦ ସୟିଦ ଯୋଜନା ପୁଣି ଲାଗୁ କରିବ। ଯେଉଁମାନେ ଠିକ ଭାବେ ଚାଉଳ ଓ ରାସନ ପାଉ ନାହାନ୍ତି, ସେମାନଙ୍କୁ ଏହା ଯୋଗାଇ ଦିଆଯିବ।
ମୁଫ୍ତି ଏହି ଅବସରରେ ଧାରା ୩୭୦ ସମ୍ପର୍କରେ ମଧ୍ୟ କହିଛନ୍ତି। ତାଙ୍କ କହିବାନୁସାରେ, ଜମ୍ମୁ-କାଶ୍ମୀର ଓ ଦେଶର ଅନ୍ୟ ପ୍ରାନ୍ତ ସହ ଧାରା ୩୭୦ ଏକ ସେତୁ ଭାବେ କାମ କରୁଥିଲା। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଏହି ସେତୁ ଭୁଶୁଡ଼ି ପଡ଼ିଛି। ୟାସିନ୍ ମଲିକ, ଶବବୀର ଶାହ ଓ ମିରୱାଜ ଫାରୁକଙ୍କ ଭଳି ନେତାଙ୍କୁ ଜେଲରେ ରଖିବା କୌଣସି ସମାଧାନର ରାସ୍ତା ନୁହେଁ। ଉପତ୍ୟକାରେ ସରକାର ଗଠନ ଅପେକ୍ଷା କାଶ୍ମୀର ସମସ୍ୟାର ସମାଧାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମିଳିତ ଭାବେ ପିଡିପିର ନିର୍ବାଚନ ଇସ୍ତାହାରକୁ ସମର୍ଥନ କରନ୍ତି ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ପିଡିପି ସେମାନଙ୍କ ପାଇଁ ସମସ୍ତ ସିଟ୍ ଛାଡ଼ିଦେବ ଏବଂ ସମର୍ଥନ କରିବ। ପିଡିପି କୌଣସି ଆସନରେ ପ୍ରାର୍ଥୀ ଦେବ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଏନ୍ସି ଓ କଂଗ୍ରେସ କୌଣସି ଏଜେଣ୍ଡା ନୁହେଁ, ବରଂ ସିଟ ଶେୟାରିଂ ମେଣ୍ଟ କରୁଛନ୍ତି। ଏହି ମେଣ୍ଟରେ ପିଡିପି ସାମିଲ ହେବନାହିଁ ବୋଲି ମୁଫ୍ତି ସ୍ପଷ୍ଟ କରିଛନ୍ତି।
୨୦୧୪ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ଆଉ ବିଧାନସଭା ନିର୍ବାଚନ ହୋଇନଥିଲା। କିନ୍ତୁ ଦୀର୍ଘ ୧୦ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏବେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଜମ୍ମୁ କାଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆସନ୍ତା ମାସ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଏଠାରେ ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହେବା ନେଇ ନିର୍ବାଚନ ଆୟୋଗ ତାରିଖ ଧାର୍ଯ୍ୟ କରିସାରିଛନ୍ତି। ତେବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ଆସିବା ପରଠାରୁ ଜମ୍ମୁ କାଶ୍ମୀରରେ ରାଜନୈତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି। ଏସବୁ ଭିତରେ ଗତ ଦୁଇ ଦିନ ପୂର୍ବେ ଏନ୍ସି ଏବଂ ଶନିବାର ପିଡିପି ପକ୍ଷରୁ ଇସ୍ତାହାର ଜାରି କରାଯାଇଛି। ଅନ୍ୟପକ୍ଷେ ଫାରୁକ୍ ଅବଦ୍ଦୁଲ୍ଲାଙ୍କ ଦଳ ନ୍ୟାଶନାଲ କନ୍ଫରେନ୍ସ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଘୋଷଣା କରାଯାଇଛି। ଏନ୍ସି ନିଜ ନିର୍ବାଚନୀ ଇସ୍ତାହାରରେ ଜମ୍ମୁ କାଶ୍ମୀରରେ ପୁନଃ ଧାରା ୩୭୦ ଲାଗୁ କରାଇବା ନେଇ ପ୍ରତିଶ୍ରୁତି ଦେଇଛି।










