ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଯେଉଁଠି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନୀଭୂତ ହେବାରେ ଲାଗିଛି, ଏପରି ଏକ ସମୟରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଏକ ବଡ଼ ବିବୃତି ସାମ୍ନାକୁ ଆସିଛି । କେତେକ ପ୍ରସଙ୍ଗରେ ଭାରତ ପକ୍ଷ ସ୍ପଷ୍ଟ କରିବାକୁ ଯାଇ ଜୟଶଙ୍କର ସମଗ୍ର ୟୁରୋପୀୟ ସଂଘକୁ ଚେତାଇ ଦେଇଛନ୍ତି ଯେ, ଭାରତକୁ ବାସ୍ତବରେ ସହଯୋଗୀ ବା ଅଂଶୀଦାରଙ୍କ ଆବଶ୍ୟକତା ରହିଛି, ଜ୍ଞାନଦେବା ବାଲାଙ୍କର ନୁହେଁ । ପ୍ରକାଶ, ଜୟଶଙ୍କରଙ୍କ ଏପ୍ରକାର ବୟାନ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁରୋପୀୟ ସଂଘ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ, ଶାନ୍ତି ସ୍ଥାପନ କରିବା ପାଇଁ ତଥା ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଛି । ଭାରତ ଓ ପାକିସ୍ତାନ କୂଟନୈତିକ ଆଲୋଚନା ମାଧ୍ୟମରେ ନିଜର ବିବାଦ ସମାଧାନ କରନ୍ତୁ ଓ ଉତ୍ତେଜନା ହ୍ରାସ କରନ୍ତୁ ବୋଲି ୟୁରୋପୀୟ ସଂଘ ଗତ କାଲି ପରାମର୍ଶ ଦେଇଥିଲା । ଏହାକୁ ନେଇ ଭାରତ କ୍ଷୁବ୍ଧ ହୋଇଛି । ତେବେ ୟୁରୋପୀୟ ସଂଘର ଏପ୍ରକାର ପ୍ରସ୍ତାବ ଉପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ୟୁରୋପ ସମେତ ସମଗ୍ର ବିଶ୍ୱକୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ବାର୍ତ୍ତା ଦେଇଛନ୍ତି । ଜୟଶଙ୍କର କହିଛନ୍ତି, ଭାରତ ସହିତ ସୁସମ୍ପର୍କ ରକ୍ଷା ପାଇଁ ୟୁରୋପକୁ ମଧ୍ୟ କିଛି ସମ୍ବେଦନଶୀଳତା ଏବଂ ସ୍ୱାର୍ଥର ପାରସ୍ପରିକ କ୍ରିୟା ଦେଖାଇବାକୁ ପଡିବ ।
ଆୟୋଜିତ ଆର୍କଟିକ୍ ସର୍କଲ ଇଣ୍ଡିଆ ଫୋରମ୍-୨୦୨୫ରେ ଯୋଗଦେବା ଅବସରରେ ଜୟଶଙ୍କର କହିଛନ୍ତି “ଭାରତକୁ ସହଯୋଗୀଙ୍କ ଆବଶ୍ୟକତା ଅଛି, ଉପଦେଷ୍ଟାଙ୍କର ନୁହେଁ । ଭାରତ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ପ୍ରଦର୍ଶନ କରୁଥିବା ଦେଶମାନଙ୍କ ସହିତ କାମ କରିବାକୁ ଚାହୁଁଛି । ସେ ୟୁରୋପୀୟ ସମୁଦାୟକୁ କଟାକ୍ଷ କରି କହିଥିଲେ ଯେ କିଛି ୟୁରୋପୀୟ ଦେଶଙ୍କ ମୂଲ୍ୟବୋଧ ଓ କର୍ମରେ ବିରାଟ ପାର୍ଥକ୍ୟ ରହିଛି । ଏକ ପାରସ୍ପରିକ ଆଲୋଚନା ଅଧିବେଶନ ପରିପ୍ରେକ୍ଷୀରେ ଜୟଶଙ୍କର କହିଛନ୍ତି ଯେ, ଭାରତ ସର୍ବଦା “ରୁଷ୍ର ବାସ୍ତବବାଦ’ ନୀତିକୁ ସମର୍ଥନ କରିଆସିଛି ଏବଂ ସମ୍ବଳ ପ୍ରଦାନକାରୀ ଏବଂ ଗ୍ରାହକ ଭାବରେ ଭାରତ ଏବଂ ରୁଷ୍ ମଧ୍ୟରେ “ମହତ୍ୱପୂର୍ଣ୍ଣ ସମନ୍ୱୟ’ ଏବଂ “ପରିପୂରକତା’ ରହିଛି । ଏହାର ଅର୍ଥ ନୁହେଁ ଯେ ଭାରତ ଆମେରିକୀୟ ବାସ୍ତବବାଦର ସମର୍ଥକ ନୁହେଁ । ଭାରତ ଆମେରିକୀୟ ବାସ୍ତବବାଦ ନୀତିକୁ ମଧ୍ୟ ଦୃଢ଼ତାର ସହ ସମର୍ଥନ କରେ । ତେବେ ରୁଷ୍କୁ ସାମିଲ ନକରି ରୁଷ୍-ୟୁକ୍ରେନ ଯୁଦ୍ଧ ବିବାଦର ସମାଧାନ ଖୋଜିବା ପାଇଁ ୟୁରୋପୀୟ ସମୁଦାୟଙ୍କ ପ୍ରୟାସ ଉପରେ ମଧ୍ୟ ଜୟଶଙ୍କର ପ୍ରଶ୍ନ ଉଠାଇଥିଲେ ଏବଂ ଏହା “ବାସ୍ତବବାଦର ମୌଳିକତାକୁ ଚ୍ୟାଲେଞ୍ଜ କରିଛି ବୋଲି କହିଥିଲେ । ପ୍ରକାଶ, ଆର୍କଟିକ୍ ସର୍କଲ ଇଣ୍ଡିଆ ଫୋରମ୍-୨୦୨୫ରେ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱସ୍ତରରେ ଘଟୁଥିବା ବିକାଶର ବିଶ୍ୱସ୍ତରୀୟ ପରିଣାମ ଏବଂ ପରିବର୍ତ୍ତିତ ବିଶ୍ୱ କ୍ରମ ଏହି ଅଞ୍ଚଳକୁ କିପରି ପ୍ରଭାବିତ କରୁଛି ସେସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।