ନୂଆଦିଲ୍ଲୀ : ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ସାଂଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସସିଓ) ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ଭାରତ ପକ୍ଷରୁ ପାକିସ୍ତାନ ଗସ୍ତ କରିବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଅକ୍ଟୋବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଏହି ବୈଠକ ଆୟୋଜିତ ହେବ । ଏଥିରେ ଭାରତର ପ୍ରତିନିଧିତ୍ୱ କରିବେ ଜୟଶଙ୍କର । ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସଂପ୍ରତି ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ସେଠାରେ ସେ ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି । କଣ ଏସସିଓ ସମ୍ମିଳନୀରେ ଭାରତ ଯୋଗ ଦେବା ପାକିସ୍ତାନ ସହ ସଂପର୍କରେ ସୁଧାରର ସଙ୍କେତ ଦେଉଛି କି ? ପ୍ରଶ୍ନର ଉତ୍ତରେ ମୁଖପାତ୍ର ରଣଧୀର କହିଛନ୍ତି, ବୈଦେଶିକ ମନ୍ତ୍ରୀଙ୍କ ଇସଲାମାବାଦ ଗସ୍ତ କେବଳ ଏସସିଓକୁ ନେଇ ରହିଛି । ଏଥିରେ ଅଧିକ କିଛି ଚିନ୍ତା କରିବା ଅନାବଶ୍ୟକ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଭାରତ ସରକାର ପ୍ରଥମେ ପଡୋଶୀ ନୀତିରେ କାମ କରୁଛି । ଏହି ନୀତି ସହ ଆମେ ଆଗକୁ ବଢୁଛୁ । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ୭ରୁ ଭାରତ ଗସ୍ତରେ ଆସିବେ । ସେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଗସ୍ତ କରିବେ । ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଯାତ୍ରା ହେବ ।