25.1 C
Bhubaneswar
Thursday, February 5, 2026
Homeଓଡିଶାସରକାରୀ ସମ୍ପତ୍ତିର ଦୁରୂପଯୋଗ କରିଛନ୍ତି ଜୟ ଢୋଲକିଆ

ସରକାରୀ ସମ୍ପତ୍ତିର ଦୁରୂପଯୋଗ କରିଛନ୍ତି ଜୟ ଢୋଲକିଆ

ସିଇଓଙ୍କ ନିକଟରେ ବିଜେଡିର ମାଳ ମାଳ ସଙ୍ଗୀନ ଅଭିଯୋଗ
ପ୍ରଚାର ପାଇଁ ସଂରକ୍ଷିତ ଅଭୟାରଣ୍ୟ ଉପରେ ଉଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ନିର୍ବାଚନ ବେଳେ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି ମନ୍ତ୍ରୀ ଓ ବିଜେପି ନେତା
ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍ ବନ୍ଧା ପାଇଁ ରାଜପଥକୁ ଅବରୋଧ କଲା ବିଜେପି
ମତଦାନ କେନ୍ଦ୍ର ଆଗରେ ଚାଲିଛି ଦଳୀୟ କାର୍ଯ୍ୟାଳୟ

ଭୁବନେଶ୍ୱର: କ୍ଷମତାରେ ଅନ୍ଧ ପାଲଟି ଯାଇଥିବା ବିଜେପି ସରକାର, ନୂଆପଡ଼ା ଉପନିର୍ବାଚନରେ ଆଇନ ଭାଙ୍ଗିବାକୁ ପଛାଉ ନାହିଁ । ବାରମ୍ୱାର ଅଭିଯୋଗ କରିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନାହିଁ, ଆଉ ବିଜେପି ନିଜର ବେଆଇନ୍ କାର୍ଯ୍ୟଧାରା ଜାରି ରଖିଛି । ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରି ମନ୍ତ୍ରୀ ଓ ବିଜେପି ନେତା ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି । ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ କିମ୍ୱା ସରକାରୀ କଳର ଅପବ୍ୟବହାର ବନ୍ଦ କରୁନାହିଁ । ଆଜି ଧାରାବାହିକ ଭାବେ ବିଜେଡି ଗୁରୁତର ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ହାଜର ହୋଇ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ କାର୍ଯ୍ୟାନୁଷ୍ଠାନ ପାଇଁ ପୁନଃ ନିବେଦନ କରିଛି ।

ବିଜେଡି ଅଭିଯୋଗ କରିଛି ଯେ, ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବେଶ ଓ ବିମାନ ପରିଚାଳନା ନିୟମକୁ ଉଲ୍ଲଂଘନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁନାବେଡା ସଂରକ୍ଷିତ ବନ୍ୟଜୀବ ଅଭୟାରଣ୍ୟ ଉପରେ ଉଡ଼ି ନିର୍ବାଚନ ପ୍ରଚାର କରିଛନ୍ତି । ନିର୍ବାଚନ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ଓ ଅଭୟାରଣ୍ୟ ସୁରକ୍ଷା ଆଇନକୁ ଭାଙ୍ଗିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ନୂଆପଡାର ଜାତୀୟ ରାଜପଥ ନଂ ୩୫୩କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଜାତୀୟ ରାଜପଥକୁ ବନ୍ଦ କରି ବିଜେପି ନେତାମାନଙ୍କ ପାଇଁ ମଞ୍ଚା ବନ୍ଧା ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବ୍ୟବସାୟରେ କ୍ଷତି ହୋଇଛି । ଜରୁରୀ ସେବା ବନ୍ଦ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ନିର୍ବାଚନୀ ଖର୍ଚ୍ଚ କଟକଣାକୁ ନ ମାନି ମାତ୍ରାଧିକ ବସ୍ ଓ ଟ୍ରକ ଭଡାରେ ଅଣାଯାଇଛି । ଏହା ବିରୋଧରେ ନିର୍ବାଚନ ଆୟୁକ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବି କରିଛି ।

ବିଜେଡି ଅଭିଯୋଗ କରିଛି ଯେ, ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଥିବା ବେଳେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ବିଜେପି ନେତା ଅରିନ୍ଦମ ରାୟ କୋମନା ବ୍ଲକ୍ ଅଧୀନ ମଥିଆପାଦର ଗ୍ରାମରେ ନୂଆ ରାସ୍ତା ନିର୍ମାଣ ପ୍ରକଳ୍ପ ଘୋଷଣା କରିବା ସହ ତୁରନ୍ତ କାମ ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ନିୟମାବଳୀ ଅନୁଯାୟୀ, ନିର୍ବାଚନ ସୂଚନା ଜାରି ହେବା ପରେ କୌଣସି ନୂଆ ଉନ୍ନୟନ କାମ ଘୋଷଣା କିମ୍ୱା ଆରମ୍ଭ କରିବା ସଂପୂର୍ଣ୍ଣ ନିଷିଦ୍ଧ । ହେଲେ ମନ୍ତ୍ରୀ ଓ ବିଜେପି ନେତା ଏହି ନିୟମକୁ ଭାଙ୍ଗିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିର୍ବାଚନ ପ୍ରଚାରରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ କରୁଛନ୍ତି । ବିଦୁ୍ୟତ ଖୁଟି, ସାଇନ ବୋର୍ଡ ଓ ଜାତୀୟ ରାଜପଥରେ ଅବୈଧ ଭାବରେ ଅଭିଯାନ ପୋଷ୍ଟର ଓ ବ୍ୟାନର ଲଗାଯାଉଛି । ପୂର୍ବରୁ ଏପରି ଅଭିଯୋଗ ହୋଇଥିଲେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ସେହିପରି ବିଜେପି ନେତା ଓ କର୍ମକର୍ତ୍ତାମାନେ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମୋଙ୍ଗରାପାଲିର ୱାର୍ଡ ନଂ ୧୫ ଓ ୧୭ ସ୍ଥିତ ମତଦାନ ପାଇଁ ଉର୍ଦ୍ଦିଷ୍ଟ ବୁଥ ନଂ ୭୪ ଓ ୭୬ ସମ୍ମୁଖରେ ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି । ଏହାଦ୍ୱାରା ଭୋଟରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ଏସବୁ ଦଳୀୟ କାର୍ଯ୍ୟାଳୟକୁ ଉଚ୍ଛେଦ ପାଇଁ ବିଜେଡି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବାକୁ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ଡ଼ ଲେନିନ ମହାନ୍ତି, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ମିହିର ରାୟ, ଶ୍ରୀ ନାରାୟଣ ଜେନା, ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ପ୍ରମୁଖ ସାମିଲ୍ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking