21.1 C
Bhubaneswar
Saturday, February 7, 2026
Homeଓଡିଶାପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି

ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ବାର୍ତ୍ତାଳାପର ଭିଡିଓ ଚିତ୍ର ଗଣମାଧ୍ୟମରେ ପ୍ରକାଶିତ ହେବାକୁ ନେଇ ବିଜୁ ମହିଳା ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଭର୍ତ୍ସନା କରିଛି । ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ବାରଣ କରାଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟ ଘୋର ନିନ୍ଦନୀୟ ବୋଲି ବିଜୁ ମହିଳା ଜନତା ଦଳର ନେତ୍ରୀମାନେ କହିଥିଲେ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ଗତ ୧୫ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଭଳି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ମଣ୍ଡନ କରୁଛି । ରାଜ୍ୟରେ ପ୍ରତିଦିନ ଅନେକ ମହିଳା ଏହିପରି ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ ଓ ନିନ୍ଦନୀୟ । କିନ୍ତୁ, ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ, ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୀଡିତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କଲେ ତାହା ଆହୁରି ଅଧିକ ନିନ୍ଦନୀୟ । ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁଯାୟୀ, ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ କୌଣସି ବାର୍ତ୍ତାଳାପ ଜନସାଧାରଣଙ୍କ ନିକଟରେ ପ୍ରକାଶିତ ହେବା ଉଚିତ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗଣମାଧ୍ୟମରେ ବିତରଣ କରିବା ଦ୍ୱାରା ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶାବଳୀକୁ ଉଲ୍ଲଙ୍ଘନ କରିଛନ୍ତି ।

ଦଳର ସାଧାରଣ ସମ୍ପାଦିକା ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ, ଗତ ୧୫ ମାସରେ ଧାରାବାହିକ ଭାବେ ରାଜ୍ୟରେ ଘଟିଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଗୁଡିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ । ପଶ୍ଚିମବଙ୍ଗ ଘଟଣାରେ ହଠାତ୍ ତତ୍ପର ହୋଇଉଠିବା କେବଳ ରାଜନୈତିକ ଉଦେ୍ଦଶ୍ୟ ସାଧନ ପାଇଁ ଉର୍ଦ୍ଦିଷ୍ଟ । ପଶ୍ଚିମବଙ୍ଗ ଘଟଣାରେ ଉଭୟ ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନ ପୀଡ଼ିତାଙ୍କୁ ଭେଟିଛନ୍ତି । କିନ୍ତୁ, ଓଡ଼ିଶାରେ ଘଟିଥିବା କୌଣସି ଘଟଣାରେ ଏମାନଙ୍କୁ ପୀଡ଼ିତାଙ୍କ ନିକଟରେ ଦେଖିବାକୁ ମିଳିନାହିଁ । ଦୁଃଖ ଓ ପରିତାପର ବିଷୟ ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ବିଜେପି ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି । ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ବିଜେଡି ନେତ୍ରୀଙ୍କ ଉଦେ୍ଦଶ୍ୟରେ ଅଶାଳୀନ ଟିପ୍ପଣୀ ଦେଇଥିବା ବେଳେ ଏହି ମାମଲା ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନଙ୍କ ପାଖରେ ଅଭିଯୋଗ କରାଯାଇଥିଲା । କିନ୍ତୁ, ଉଭୟ ରାଜ୍ୟ ଓ ଜାତୀୟ ମହିଳା କମିସନ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ।

ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଜେପି ନେତା ମାନେ ଯେଉଁଭଳି ଭାବେ ପଶ୍ଚିମବଙ୍ଗ ଯାଇ ପୀଡିତାଙ୍କୁ ଭେଟିବା ପାଇଁ ଉଦ୍ୟମ କଲେ, ତାହା ଦୁଷ୍କର୍ମ ଟୁରିଜମର ଦୃଶ୍ୟ ସଦୃଶ୍ୟ ଅନୁଭବ ହୋଇଥିଲା । ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସହିତ ବାର୍ତ୍ତାଳାପ ରେକର୍ଡିଂକୁ ଭାଇରାଲ କରିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏହାଛଡା ଏହି ଘଟଣାକୁ ରାଜନୀତିକରଣ କରିବା ଉଦ୍ୟମକୁ ମଧ୍ୟ ଆମେ ଗଭୀର ନିନ୍ଦା କରୁଛୁ । ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ, କିନ୍ତୁ ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି ଆହୁରି ଅଧିକ ଖରାପ ଅଛି । ଓଡ଼ିଶାରେ ମଧ୍ୟ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଘୋର ନିନ୍ଦନୀୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking