33.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶପୋଲିଓ ଟିକାକରଣ ମଧ୍ୟରେ ଇସ୍ରାଏଲ୍‌ର ଘନଘନ ଆକ୍ରମଣ; ୨ ଦିନରେ ୬୧ ମୃତ

ପୋଲିଓ ଟିକାକରଣ ମଧ୍ୟରେ ଇସ୍ରାଏଲ୍‌ର ଘନଘନ ଆକ୍ରମଣ; ୨ ଦିନରେ ୬୧ ମୃତ

କାଇରୋ: ଗତ ୪୮ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍ ସେନା ପକ୍ଷରୁ କରାଯାଇଥିବା ଘନଘନ ସାମରିକ ଆକ୍ରମଣରେ ଅତି କମରେ ୬୧ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଶନିବାର ଦିନ ପାଲେଷ୍ଟାଇନ୍‌ର କେତେକ ପ୍ରାନ୍ତରେ ଇସ୍ରାଏଲ୍ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୨୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ୍ ବାୟୁସେନା ମୁଖ୍ୟତଃ ଗାଜାରେ ଥିବା ସ୍କୁଲ ଏବଂ ଆବାସିକ ଅଟ୍ଟାଳିକାଗୁଡ଼ିକୁ ହିଁ ଟାର୍ଗେଟ୍ କରିଛି। ତେବେ ଏହି ୬୧ଜଣ ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ମଧ୍ୟ ସାମିଲ ଥିବା ଜଣାପଡିଛି। ସେହିପରି ଗାଜା ଷ୍ଟ୍ରିପ୍‌ରେ ସକ୍ରିୟ ଥିବା ହମାସ୍ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରିବା ପୂର୍ବକ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ଶତାଧିକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ମିଳିତ ଜାତିସଂଘ (ୟୁଏନ୍‌) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏଠାରେ (ଗାଜା ଷ୍ଟ୍ରିପ୍‌)ରେ ପୋଲିଓ ଟିକାକରଣ ଅଭିଯାନ ଚଳାଇବା ପାଇଁ ଉଭୟ ପକ୍ଷଙ୍କୁ ସାମୟିକ ଯୁଦ୍ଧ ବିରତି ପାଇଁ ଆହ୍ୱାନ କରିଥିବା ବେଳେ ଇସ୍ରାଏଲ୍ ପକ୍ଷରୁ ଏପ୍ରକାର ଆକ୍ରମଣ କରାଯାଇଛି।
ପ୍ରକାଶ, ଗାଜା ଷ୍ଟ୍ରିପ୍‌ରେ ବିଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ପୋଲିଓ ମାମଲା ଠାବ କରାଯାଇଛି। ଏଠାରେ ଏକ ନବଜାତକ ପୋଲିଓ ସଂକ୍ରମିତ ହୋଇପଡିଥିବା ଜଣାପଡିବା ପରେ ଏଠାରେ ତୁରନ୍ତ ଟିକାକରଣ କରିବା ପାଇଁ ହୁ’ ଏବଂ ୟୁଏନ୍ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଥିଲା। ଉଭୟ ଇସ୍ରାଏଲ ଏବଂ ହମାସକୁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିବା ତଥା ତତ୍‌ସମ୍ପର୍କୀତ ନିୟମଗୁଡ଼ିକୁ ପାଳନ କରିବା ନେଇ ଅନୁରୋଧ କରାଯାଇଥିଲା। ଉଭୟ ପକ୍ଷ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ ପ୍ରତି ୩ ଦିନର ଅନ୍ତରାଳରେ ୪ ଦଫା ଯୁଦ୍ଧ ବିରତି ପାଳନ କରିବାକୁ ସହମତି ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନ୍‌ର ଉତ୍ତର ଏବଂ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକରେ ପ୍ରାୟ ୬,୪୦,୦୦୦ରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ ପୋଲିଓ ଟିକାକରଣ କରାଯାଇସାରିଛି। ଏବେ ପୂର୍ବ ଏବଂ ପଶ୍ଚିମ ପ୍ରାନ୍ତରେ ଟିକାକରଣ ହେବା ବାକି ରହିଛି। ଏସବୁ ମଧ୍ୟରେ ଇସ୍ରାଏଲ୍ ସେନା ସାମରିକ ଆକ୍ରମଣ କରାଯାଇଛି।
ଇସ୍ରାଏଲ-ହମାସ ଯୁଦ୍ଧକୁ ୧୧ତମ ମାସ ଅତିକ୍ରମ କରିଛି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ଲଢ଼େଇ ଆରମ୍ଭ ହୋଇଥିଲା। ତେବେ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା କେବଳ ଗାଜା ଷ୍ଟ୍ରିପ୍‌ର ୪୦,୯୩୯ଜଣ (ପାଲେଷ୍ଟାଇନ୍ ନାଗରିକ) ମୃତ୍ୟୁବରଣ କରିଛନ୍ତି। ସେହିପରି ହଜାର ହଜାର ଇସ୍ରାଏଲ୍ ସୈନିକ ମଧ୍ୟ ହମାସ୍ ଆକ୍ରମଣରେ ଏଠାରେ ପ୍ରାଣ ହରାଇଛନ୍ତି। ପ୍ରାୟ ୨.୩ ନିୟୁତ ଜନସଂଖ୍ୟା ବିସ୍ଥାପିତ ହୋଇଛନ୍ତି ଏବଂ ଗାଜାରେ କ୍ଷୁଧା ସଙ୍କଟଜନିତ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଯୁଦ୍ଧ ନିୟମ ଉଲ୍ଲଂଘନ ତଥା ସାଧାରଣ ଲୋକଙ୍କୁ ହତ୍ୟା କରିଥିବା ଭଳି ଅଭିଯୋଗରେ ଛନ୍ଦି ହୋଇପଡିଥିବା ଇସ୍ରାଏଲ୍ ଅନ୍ତର୍ଜାତୀୟ କୋର୍ଟରେ ହୋଇଥିବା ଜନଶୁଣାଣି ପ୍ରକ୍ରିୟାରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଅନ୍ୟପକ୍ଷେ ଇତି ମଧ୍ୟରେ, ଯୁଦ୍ଧ ବନ୍ଦ କରାଯିବା ନେଇ ଦ୍ୱିପକ୍ଷ ମଧ୍ୟରେ ଏକାଧିକ ଥର କୂଟନୈତିକସ୍ତରୀୟ ଆଲୋଚନା ଚେଷ୍ଟା ହୋଇଥିବା ବେଳେ ସବୁକିଛି ବିଫଳ ସାବ୍ୟସ୍ତ ହୋଇଛି। ସେହିପରି ଗାଜାରେ ରଖାଯାଇଥିବା ଇସ୍ରାଏଲ ଏବଂ ବିଦେଶୀ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଇସ୍ରାଏଲରେ ବନ୍ଦୀ ହୋଇଥିବା ଅନେକ ପାଲେଷ୍ଟାଇନୀୟ ଲୋକଙ୍କୁ ମୁକ୍ତ କରିବା ପାଇଁ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଚୁକ୍ତି ମଧ୍ୟ ବିଫଳ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking