ଜେରୁଜେଲମ୍: ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ ଟ୍ୟାଙ୍କ୍ ପ୍ରବେଶ କରିବା ସହ ଖେଳାଯାଇଥିବା ବିଧ୍ୱଂସୀ ଖେଳରେ ପ୍ରାୟ ୧୭ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୭୦ରୁ ଅଧିକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । କେନ୍ଦ୍ରୀୟ ଗାଜାର ଦେଇର ଅଲ୍ ବାଲାହ ଏବଂ ଦକ୍ଷିଣରେ ଖାନ୍ ୟୁନିସ ଅଞ୍ଚଳରେ ଇସ୍ରାଏଲ୍ ସେନା ପକ୍ଷରୁ ଟ୍ୟାଙ୍କ୍ ଏବଂ ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ ହୋଇଥିଲା । ତେବେ ଗୋଟିଏ ପଟେ ଇସ୍ରାଏଲ୍ ସେନାର ଏପ୍ରକାର ଆକ୍ରମଣ ଜାରି ରହିଥିବା ବେଳେ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ମଧ୍ୟ ବୁଧବାର ଦିନ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସ ଅଞ୍ଚଳରେ ୫୦ରୁ ଅଧିକ ରକେଟ୍ ମାଡ଼ କରାଯାଇଛି । ଏଥିରେ ଇସ୍ରାଏଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ମଙ୍ଗଳବାର ରାତିରେ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଥିବା ନେଇ ହିଜବୁଲ୍ଲା ସ୍ପଷ୍ଟ କରିଛି । ସୂଚନାଯୋଗ୍ୟ, ଗାଜାଷ୍ଟ୍ରିପ୍ରେ ଅସ୍ତ୍ରବିରତି ବୁଝାମଣା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଇଜିପ୍ଟ ଏବଂ କାତାରରେ ତାଙ୍କ ସାଥୀ ମଧ୍ୟସ୍ଥିମାନଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି । ନିକଟରେ ଇରାନ ଏବଂ ଲେବାନନରେ ହାମାସ ଏବଂ ହିଜବୁଲ୍ଲାର ଦୁଇ ଶୀର୍ଷ କମାଣ୍ଡରଙ୍କୁ ଟାର୍ଗେଟ କରି ହତ୍ୟା କରାଯିବା ପରେ ଏହି ଚୁକ୍ତିର ଆବଶ୍ୟକତା ଆହୁରି ବଢିଯାଇଛି । ଉଭୟ କମାଣ୍ଡରଙ୍କୁ ହତ୍ୟା କରିବା ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଛି । ଅନ୍ୟପକ୍ଷରେ ଇରାନ ଓ ହିଜବୁଲ୍ଲା ଦୁଇ କମାଣ୍ଡରଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।