23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶତୁର୍କୀକୁ ଏୟାର ଷ୍ଟ୍ରାଇକ୍ ଧମକ ଦେଲା ଇସ୍ରାଏଲ

ତୁର୍କୀକୁ ଏୟାର ଷ୍ଟ୍ରାଇକ୍ ଧମକ ଦେଲା ଇସ୍ରାଏଲ

ଡାମାସ୍‌କସ୍‌: ଇସ୍ରାଏଲୀ ସେନା ସିରିଆରେ ନିଜ ସାମରିକ ଅଭିଯାନକୁ ଜୋରଦାର୍ କରିଛି। ଇସ୍ରାଏଲୀ ସେନା (ଆଇଡିଏଫ୍‌) ଏବେ ଦକ୍ଷିଣ ସିରିଆର ଦାରା ପ୍ରାନ୍ତରେ ଆକ୍ରମଣକୁ ପ୍ରଖର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଦାରାରେ ଆଇଡିଏଫ୍ ଏବଂ ସିରିଆର ଶାସକ ହୟାତ୍ ତାହରିର ଅଲ୍‌-ଶାମ୍ (ଏଚ୍‌ଟିଏସ୍‌) ପ୍ରତି ବିଶ୍ୱସ୍ତ ଯୋଦ୍ଧାମାନଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଜାରି ରହିଛି। ଏସବୁ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ତୁର୍କୀ ଉଦ୍ଦେଶ୍ୟରେ ଏକ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ତୁର୍କୀକୁ ସିରିଆ ଠାରୁ ଦୂରେଇ ରହିବାକୁ ନେତାନ୍ୟାହୁ ଚେତାବନୀ ଦେଇଥିବା ବେଳେ ଯଦି ତୁର୍କୀ ଏପରି ନକରେ ତେବେ ଇସ୍ରାଏଲର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍‌ର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ନେତାନ୍ୟାହୁ ଧମକ ଦେଇଛନ୍ତି।

ବୁଧବାର ଇସ୍ରାଏଲ ସେନା ହାମା ଆଖପାଖ ଅଞ୍ଚଳ ଏବଂ ରାଜଧାନୀ ଡାମାସ୍କସର ଏକ ପଡ଼ୋଶୀ ବାରଜେହ ଉପରେ ଆକ୍ରମଣ କରିଛି। ଯେଉଁଠାରେ ଇସ୍ରାଏଲୀ ସେନା ଏକ ବୈଜ୍ଞାନିକ ଗବେଷଣା ପ୍ରତିଷ୍ଠାନକୁ ଟାର୍ଗେଟ୍ କରିଛି। ପ୍ରକାଶ, ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଅସାଦଙ୍କ ଶାସନ କାଳରେ ଇସ୍ରାଏଲୀ ସେନା ବର୍ଷ ବର୍ଷ ଧରି ସିରିଆ ଉପରେ ଆକ୍ରମଣ କରିଥିଲା। ଇରାନ୍ ସହିତ ଜଡିତ ସାମରିକ ପ୍ରତିଷ୍ଠାନ ଏବଂ ତେହେରାନରୁ ଲେବାନନ୍ ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲାକୁ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତରକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରିଥିଲା। ଇସ୍ରାଏଲୀ ସେନା ବର୍ତ୍ତମାନ ସିରିଆ ଭିତରେ ଅପରେସନ୍ ଜାରି ରଖିଛି। ସିରିଆ ରିପୋର୍ଟ ଅନୁଯାୟୀ, ଦାରା ସହର ନିକଟରେ ଆଇଡିଏଫ ସୈନ୍ୟ ଏବଂ ଅଲ-ଶାରାର ଏଚ୍‌ଟିଏସ ମଧ୍ୟରେ ଭୟଙ୍କର ସଂଘର୍ଷ ଚାଲିଛି। ଇସ୍ରାଏଲୀ ବାୟୁସେନା ସିରିଆର ଅନ୍ୟପ୍ରାନ୍ତରେ ମଧ୍ୟ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଇସ୍ରାଏଲ୍ ସେନା ମୁଖ୍ୟତଃ ସିରିଆର ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରୁଛି। ଫଳରେ ଉଭୟ ସିରିଆ ଏବଂ ଇସ୍ରାଏଲ୍ ମଧ୍ୟରେ ଏବେ ଉତ୍ତେଜନା ବୃଦ୍ଧି ପାଇଛି। ସିରିଆରେ ଇସ୍ରାଏଲର ଆକ୍ରମଣର ଲକ୍ଷ୍ୟ ହେଉଛି ତୁର୍କୀଙ୍କୁ ଏହି ଅଞ୍ଚଳରୁ ଦୂରରେ ରହିବାକୁ ବାର୍ତ୍ତା ଦେବା। ଇସ୍ରାଏଲୀ ଗଣମାଧ୍ୟମ ଜେରୁଜେଲମ୍ ପୋଷ୍ଟ୍ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛି।

ଅଧିକାରୀଙ୍କ ଅନୁଯାୟୀ, ଇସ୍ରାଏଲର ବାର୍ତ୍ତା ସ୍ପଷ୍ଟ। ତୁର୍କୀ ସିରିଆରେ ଏକ ସାମରିକ ଘାଟି ସ୍ଥାପନ କରିବା ଉଚିତ୍ ନୁହେଁ ଏବଂ ଦେଶର ଆକାଶ ମାର୍ଗରେ ଇସ୍ରାଏଲୀ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ରିପୋର୍ଟ ଅନୁସାରେ ତୁର୍କୀ ଗାଜାରେ ଇସ୍ରାଏଲର ସାମରିକ ଅଭିଯାନକୁୂ ସମାଲୋଚନା କରି କହିଥିଲା ଯେ, ଏହି ପଦକ୍ଷେପ ଇସ୍ରାଏଲର ବେଆଇନ ଆଭିମୁଖ୍ୟର ଏକ ଉଦାହରଣ ଯାହା ଶାନ୍ତି ପ୍ରକ୍ରିୟା ଠାରୁ ଦୂରରେ ରହିଛି। ତୁର୍କୀର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା ଯେ, ଗାଜାରେ ଅଭିଯାନର ପ୍ରସାର ଏବଂ ଇସ୍ରାଏଲ-ଅଧିକୃତ ପଶ୍ଚିମ କୂଳରେ ବସତିର ପ୍ରସାର ଅନ୍ତର୍ଜାତୀୟ ଆଇନ ପ୍ରତି ଇସ୍ରାଏଲର ସ୍ପଷ୍ଟ ଅବମାନନା ଏବଂ ଶାନ୍ତି ହାସଲରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନତାର ଆଉ ଏକ ପ୍ରଦର୍ଶନ। ଏତଦ୍‌ବ୍ୟତୀତ ତୁର୍କୀ ସିରିଆ ସହ ମଧ୍ୟ ସମ୍ପର୍କ ବୃଦ୍ଧି କରୁଥିବା ବେଳେ ଇସ୍ରାଏଲ୍‌କୁ ସମାଲୋଚନା କରିଆସୁଛି। ତେବେ ଏହାକୁ ନେଇ ତୁର୍କୀ ଏବଂ ଇସ୍ରାଏଲ୍ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking