27.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶଲେବାନନ୍ ଉପରେ ଇସ୍ରାଏଲ୍‌ର ରକେଟ୍ ବର୍ଷା; ୩୦୦ ସ୍ଥାନରେ ଆକ୍ରମଣ: ୧୦୦ ମୃତ, ୪୦୦ ଆହତ

ଲେବାନନ୍ ଉପରେ ଇସ୍ରାଏଲ୍‌ର ରକେଟ୍ ବର୍ଷା; ୩୦୦ ସ୍ଥାନରେ ଆକ୍ରମଣ: ୧୦୦ ମୃତ, ୪୦୦ ଆହତ

ବେରୁତ : ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ଉଭୟ ପକ୍ଷରୁ ଏବେ ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି। ଏଥିରେ ଉଭୟ ପକ୍ଷରୁ ନୀରିହ ଜନସାଧାରଣ ମଧ୍ୟ ପ୍ରାଣ ହରାଉଛନ୍ତି। ତେବେ ଏସବୁ ମଧ୍ୟରେ ଇସ୍ରାଏଲ୍ ସେନା ପକ୍ଷରୁ ଲେବାନନ୍‌ର ପ୍ରାୟ ୩୦୦ ସ୍ଥାନରେ ଭୟଙ୍କର ରକେଟ୍ ବର୍ଷା କରାଯାଇଛି। ଏଥିରେ ୧୦୦ଜଣ ମୃତ୍ୟୁବରଣ କରିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଇସ୍ରାଏଲ୍ ମଧ୍ୟ ଲେବାନନ୍‌ର ଏପ୍ରକାର ଆକ୍ରମଣକୁ ସ୍ପଷ୍ଟ କରିଛି।
ଲେବାନନ୍ ସ୍ଥିତ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ଉପରେ ଚାପ ପକାଇବା ଲକ୍ଷ୍ୟରେ ଇସ୍ରାଏଲ୍ ସେନା ସୋମବାର ଭୋର ସମୟରେ ଭୟାବହ ଆକ୍ରମଣ କରିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ମୃତାହତ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। ଲେବାନନ୍‌ର ଜଣେ ବରିଷ୍ଠ ଅଧିକାରୀ ମୃତାହତ ଏବଂ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ଏପ୍ରକାର ଭୟାବହ ଆକ୍ରମଣ କରିବା ପୂର୍ବରୁ ଇସ୍ରାଏଲ୍ ପକ୍ଷରୁ ଦକ୍ଷିଣ ଲେବାନନରେ ରହିଥିବା ହିଜବୁଲ୍ଲା ଆଡ୍ଡାସ୍ଥଳୀ ନିକଟରୁ ପ୍ରାୟ ୧୭ଟି ଗ୍ରାମ ଓ ସହରର ସାଧାରଣ ଲେବାନନବାସୀଙ୍କୁ ଚାଲିଯିବାକୁ ଇସ୍ରାଏଲ ପରାମର୍ଶ ଦିଆଯାଇଥିଲା। ବିଶେଷକରି ଯେଉଁ ଅଞ୍ଚଳରେ ହିଜବୁଲ୍ଲା ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଛି, ସେହି ଅଞ୍ଚଳ ତୁରନ୍ତ ଖାଲି କରି ପଳାଇବାକୁ ଲେବାନନବାସୀଙ୍କୁ ଇସ୍ରାଏଲ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଇସ୍ରାଏଲ୍‌ର ଏପ୍ରକାର ଚେତାବନୀ ପରେ ହଜାର ହଜାର ଲେବାନନ୍‌ବାସୀ ଉକ୍ତ ଅଞ୍ଚଳ ଖାଲି କରି ଚାଲିଯାଇଥିବାରୁ ଆଜି ସକାଳୁ ହୋଇଥିବା ଭୟାବହ ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସୀମିତ ରହିପାରିଛି।
ଗତକାଲି ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ହିଜବୁଲ୍ଲା ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ହିଜବୁଲ୍ଲାର ଜଣେ ଟପ୍ କମାଣ୍ଡର ନିହତ ହୋଇଥିବାବେଳେ ହିଜବୁଲ୍ଳା ପକ୍ଷରୁ ମଧ୍ୟ ପ୍ରତିଆକ୍ରମଣ ପୂର୍ବକ ଉତ୍ତର ଇସ୍ରାଏଲ୍ ଅଞ୍ଚଳରେ ୧୫୦ରୁ ଅଧିକ ରକେଟ ମାଡ଼ କରାଯାଇଥିଲା। ଇସ୍ରାଏଲର ଉତ୍ତରାଞ୍ଚଳରେ ରକେଟ, ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଜରିଆରେ ହିଜବୁଲ୍ଲା ଏହି ଆକ୍ରମଣ କରିଥିଲା। ଇସ୍ରାଏଲ୍ ଗୁଇନ୍ଦା ବିଭାଗ ମୁସାଦ୍‌’ ପକ୍ଷରୁ ଗତ ୨୦ ତାରିଖରେ ପେଜର ଓ ୱାକିଟକି ବିସ୍ଫୋରଣ ଜରିଆରେ ହିଜବୁଲ୍ଲାର ଅନେକ ଉଗ୍ରବାଦୀଙ୍କୁ ନିପାତ କରାଯାଇଥିବା ବେଳେ ଏହାର ପ୍ରତିଶୋଧ ନେବାକୁ ଯାଇ ହିଜବୁଲ୍ଲା ଏପ୍ରକାର ଆକ୍ରମଣ କରିଥିଲା। ପ୍ରକାଶ, ଇସ୍ରାଏଲ-ଗାଜା ସ୍ଥିତ ହମାସ୍ ଉଗ୍ରବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହିଜବୁଲ୍ଲା ନିଜ ଆଡୁ ସାମିଲ ହୋଇଥିଲା। ହମାସ୍ ଉଗ୍ରବାଦୀ ସଂଗଠନକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ହିଜବୁଲ୍ଲା, ଇସ୍ରାଏଲ୍ ଉପରେ ସର୍ବପ୍ରଥମେ ଆକ୍ରମଣ କରିଥିଲା।ହେଜବୋଲ୍ଲା। ଯାହାଫଳରେ ଇସ୍ରାଏଲ ଏବେ ହମାସକୁ ଛାଡ଼ି ହିଜବୁଲ୍ଲା ପଛରେ ପଡ଼ିଯାଇଛି। ହିଜବୁଲ୍ଲା ଆତଙ୍କବାଦୀ ସଂଗଠନ ଏବଂ ଏହାର ସଦସ୍ୟଙ୍କୁ ନିପାତ କରିବାକୁ ଇସ୍ରାଏଲ ସବୁ ପ୍ରକାର ଉଦ୍ୟମ ଚଳାଇଛି। ଇସ୍ରାଏଲ ସେନା ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ର ଭଣ୍ଡାରଗୁଡ଼ିକୁ ଟାର୍ଗେଟ କରି ସେଗୁଡ଼ିକୁ ଧ୍ୱଂସ କରିବାକୁ ଯୋଜନା କରୁଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking