ନୂଆଦିଲ୍ଲୀ : ଇସ୍ରାଏଲର ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଡେଭିଡ୍ସ ସ୍ଲିଙ୍ଗ୍ ପୁଣି ଥରେ ନିଜର ଶକ୍ତି ଦେଖାଇଛି। ଭବିଷ୍ୟତରେ ମିସାଇଲ ବିପଦ ବୃଦ୍ଧି, ବିଶେଷକରି ଇରାନ ଭଳି ଶତ୍ରୁକୁ ଧ୍ୟାନରେ ରଖି , ଇସ୍ରାଏଲ ଏହି ମଧ୍ୟମ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମର ଅନେକ ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ପରୀକ୍ଷଣ ସଫଳତାପୂର୍ବକ ପୂରଣ କରିଛି। ଏହି ପରୀକ୍ଷଣ ଜୁନ୍ ୨୦୨୫ରେ ଇରାନ ସହ ହୋଇଥିବା ୧୨ ଦିନିଆ ଯୁଦ୍ଧରୁ ଶିଖି ଥିବା ଗୁରୁତ୍ତ୍ୱପୂର୍ଣ୍ଣ ଶିକ୍ଷା ଉପରେ ଆଧାରିତ, ଯେଉଁଠି ଡେଭିଡ୍ସ ସ୍ଲିଙ୍ଗ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ ମିସାଇଲରେ ମଧ୍ୟ ସଫଳତା ପୂର୍ବକ ରୋକି ଦେଇ ଥିଲା। ଏହି ପ୍ରଣାଳୀ ଇସ୍ରାଏଲର ବହୁ-ସ୍ତରୀୟ ପ୍ରତିରକ୍ଷା ଭିତ୍ତିଭୂମିର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ ଅଟେ, ଯେଉଁଥିରେ ଆଇରନ ଡୋମ୍ (ଅଳ୍ପ ଦୂରତା), ଡେଭିଡ୍ସ ସ୍ଲିଙ୍ଗ୍ (ମଧ୍ୟମ ଦୂରତା) ଓ ଏରୋ (ଦୀର୍ଘ ଦୂରତା) ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଭବିଷ୍ୟତର ବିପଦ ପାଇଁ ପ୍ରସ୍ତୁତିକୁ ଦୃଢ କରିବା ଉଦ୍ଦେଶ୍ୟରେ ଏହି ମଧ୍ୟମ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ ସହ ଅନେକ ଉନ୍ନତ ପରୀକ୍ଷଣ କରାଯାଇଛି। ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମସ ଦ୍ୱାରା ବିକଶିତ ଡେଭିଡ୍ସ ସ୍ଲିଙ୍ଗକୁ ୪୦ରୁ ୩୦୦ କିଲୋମିଟରର ଦୂରତା ଯାଏ ରକେଟ୍ , ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ, ବିମାନ ତଥା ମାନବ ରହିତ ଏୟାର ଭାଇକଲ ( ୟୁଏଭି/ ଡ୍ରୋନ)କୁ ଆକ୍ରମଣ କରି ଖସାଇବା ପାଇଁ ତିଆରି କରାଯାଇଛି। ଏହି ପରୀକ୍ଷଣ ଗୁଡ଼ିକରେ ନୂଆ ପର୍ଯ୍ୟାୟର ଘୋଷଣା ଏମିତି ସମୟରେ ହୋଇଛି ଯେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ୱାଶିଂଟନରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରୁଥିଲେ। ଏହି ଘଟଣାକ୍ରମ ଅଞ୍ଚଳରେ ସାମରିକ ଉତ୍ତେଜନା ବୃଦ୍ଧି ମଧ୍ୟରେ ସାମ୍ନାକୁ ଆସିଛି। ଯେଉଁଠି ତେହରାନ ପକ୍ଷରୁ ସମ୍ଭାବିତ ହମଲାର ଆଶଙ୍କା କରାଯାଉଛି।










