21.1 C
Bhubaneswar
Wednesday, February 18, 2026
Homeଖେଳଆଇସିସି ର‌୍ୟାଙ୍କିଙ୍ଗ୍‌ରେ ଈଶାନ୍ କିଶନ୍‌ଙ୍କ ସୁନାମୀ

ଆଇସିସି ର‌୍ୟାଙ୍କିଙ୍ଗ୍‌ରେ ଈଶାନ୍ କିଶନ୍‌ଙ୍କ ସୁନାମୀ

ଦୁବାଇ : ଆଇସିସିର ସଦ୍ୟତମ ଟି-୨୦ ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗ୍‌ରେ ଈଶାନ୍ କିଶନ୍ ଜୋରଦାର ପ୍ରତ୍ୟାବର୍ତ୍ତନ କରି ୧୭ ସ୍ଥାନର ଲମ୍ଫ ଲଗାଇଛନ୍ତି। ଏହି ଲମ୍ଫ ସହିତ ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଏବେ ଦୁନିଆର ନମ୍ବର-୮ ଟି-୨୦ ବ୍ୟାଟର୍ ହୋଇଛନ୍ତି। ନିକଟ ଅତୀତରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଲଗାତାର ରନ୍ ସଂଗ୍ରହର ଲାଭ ସିଧା ର‌୍ୟାଙ୍କିଙ୍ଗ୍‌ରେ ଦେଖିବାକୁ ମିଳିଛି। ବୁଧବାର ଜାରୀ ଆଇସିସି ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ମୋଟ ଚାରିଜଣ ବ୍ୟାଟର୍ ଶୀର୍ଷ-୧୦ରେ ରହିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଯୁବ ଓପ୍ନର୍ ଅଭିଷେକ ଶର୍ମା ୮୯୧ ରେଟିଂ ପଏଣ୍ଟ୍ ସହ ଏବେ ବି ବିଶ୍ୱର ନମ୍ବର-୧ ବ୍ୟାଟର୍ ଭାବେ ସ୍ଥିର ରହିଛନ୍ତି। ଇଂଲଣ୍ଡର ଫିଲ୍ ସଲ୍ଟ ୮୦୮ ପଏଣ୍ଟ୍ ସହ ଦ୍ୱିତୀୟ, ଶ୍ରୀଲଙ୍କାର ପଥୁମ ନିସଙ୍କା ତିନି ସ୍ଥାନର ସୁଧାର ସହ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ତିଳକ ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ପାକିସ୍ତାନର ସାହିବଜାଦା ଫରହାନ୍ ପଞ୍ଚମ ଏବଂ ଭାରତୀୟ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ ପୂର୍ବପରି ଷଷ୍ଠରେ ସ୍ଥିର ରହିଛନ୍ତି।
ର‌୍ୟାଙ୍କିଙ୍ଗ୍‌ରେ ପାକିସ୍ତାନୀ ସାମ୍ ଅୟୁବ୍ ପୁଣିଥରେ ବିଶ୍ୱର ନମ୍ବର-୧ ଅଲ୍‌ରାଉଣ୍ଡର୍ ହୋଇଛନ୍ତି।

ଗତ କିଛି ସମୟ ହେବ ଅୟୁବ୍ ଏବଂ ଜିମ୍ବାୱେର ସିକନ୍ଦର ରଜାଙ୍କ ମଧ୍ୟରେ ନମ୍ବର-୧ ଅଲ୍‌ରାଉଣ୍ଡର୍ ସ୍ଥାନକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲେ। ତେବେ ଚମତ୍କାର ପ୍ରଦର୍ଶନ ବଳରେ ଅୟୁବ୍ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅୟୁବ୍ କଲମ୍ବୋରେ ଭାରତ ବିପକ୍ଷରେ ତିନି ୱିକେଟ୍ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ସିକନ୍ଦର ରଜାଙ୍କୁ ପଛରେ ପକାଇ ପୁଣିଥରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ରଜା ଏବେ ଦ୍ୱିତୀୟ ସ୍ଥାନକୁ ଖସିଯାଇଛି। ନେପାଳର ଦୀପେନ୍ଦ୍ର ସିଂହ ଐରୀ ଦୁଇଟି ସ୍ଥାନର ସୁଧାର ସହ ତୃତୀୟ ଏବଂ ଆଫଗାନିସ୍ତାନର ଅଜମୁତୁଲ୍ଲାହ ଓମରଜଇ ଚାରି ସ୍ଥାନର ଲମ୍ଫ ସହ ସଂଯୁକ୍ତ ଭାବେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ବୋଲି ସୂଚୀରେ ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ରଶିଦ୍ ଖାନ୍ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ସହିତ ଶୀର୍ଷସ୍ଥାନରେ ଥିବା ଭାରତର ବରୁଣ ଚକ୍ରବର୍ତ୍ତୀଙ୍କୁ ଟକ୍କର୍ ଦେଉଛନ୍ତି। ଭାରତର ଅକ୍ଷର ପଟେଲ୍ ଚାରି ସ୍ଥାନ ଏବଂ ଜସ୍‌ପ୍ରୀତ୍ ବୁମ୍‌ରା ଛଅ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୧୪ ଏବଂ ୧୫ ନମ୍ବରରେ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking