ଭୁବନେଶ୍ୱର: ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ଯଥା ସମ୍ଭବ ଔଷଧ ଠାରୁ ଦୂରେଇ ରହିବା ଉଚିତ୍। କାରଣ ଏହି ଔଷଧ ଆପଣଙ୍କ ଶରୀରକୁ ରୋଗମୁକ୍ତ କରିଥାଏ ସତ କିନ୍ତୁ ଏହାର ଗମ୍ଭୀର ପ୍ରଭାବ ପେଟରେ ଥିବା ଶିଶୁ ଉପରେ ପଡ଼ିଥାଏ । ତେଣୁ ଗର୍ଭବତୀ ମହିଳା ମାନେ ଔଷଧ ନଖାଇବାକୁ ଚେଷ୍ଟା କରିଥାନ୍ତି । ଏହି ସମୟରେ ଥଣ୍ଡା ଜ୍ୱର ହେବା ମଧ୍ୟ ଅତ୍ୟନ୍ତ ସାଧାରଣ । ଜ୍ୱର ପାଇଁ ସାଧାରଣତଃ ପାରାସିଟାମୋଲ୍ ବ୍ୟବହାର କରାଯାଇଥାଏ। ହେଲେ ଗର୍ଭବତୀ ମହିଳାମାନେ ଏହି ଔଷଧ ସେବନ କରିବା, ପେଟରେ ବଢୁଥିବା ଶିଶୁ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।
ଅଟେଂନନ୍ ଡେଫିସିଟ୍ ହାଇପରଆକ୍ଟିଭିଟି ଡିସଅର୍ଡର (ଏଡିଏଚ୍ଡି) ପିଲାମନଙ୍କ ଠାରେ ଦେଖିବାକୁ ମିଳୁଥିବା ସବୁଠାରୁ ସାଧାରଣ ଡିସଅର୍ଡର ମଧ୍ୟରୁ ଗୋଟିଏ । ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆସିଟମିନୋଫେନ୍ ଏକ ସାଧାରଣ ପେନ୍ କିଲର । ଯାହାକୁ ଗର୍ଭବତୀ ମହିଳାମାନେ ଜ୍ୱର, ଥଣ୍ଡା, କାଶ, ଅଣ୍ଟା ବିନ୍ଧା ତଥା ଅନ୍ୟାନ୍ୟ କଷ୍ଟ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଖାଇଥାନ୍ତି । ହେଲେ ଏହି ଔଷଧ ଖାଇବା ଦ୍ୱାରା ପିଲାମାନଙ୍କୁ ଏଡିଏଚ୍ଡି ହୋଇପାରେ । ଏହା ଏକ ପ୍ରକାରର ମସ୍ତିସ୍କ ରୋଗ । ଏହି ରୋଗ ପିଲାମାନଙ୍କ ଭାବନା, ଚିନ୍ତାଧାରା ଏବଂ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ । ପିଲାମାନଙ୍କ ମଧ୍ୟରେ ଏଡିଏଚ୍ଡି ସବୁଠାରୁ ସାଧାରଣ ନ୍ୟୁରୋଡେଭଲପମେଣ୍ଟାଲ୍ ରୋଗ ମଧ୍ୟରୁ ଗୋଟିଏ । ଏହି ରୋଗ ହେଲେ ପିଲାଙ୍କୁ ତାଙ୍କ ଆଚରଣ ପରିଚାଳନା କରିବା, କୌଣସି କାର୍ଯ୍ୟରେ ଧ୍ୟାନ ଦେବା, ହାଇପରଆକ୍ଟିଭିଟିକୁ ନିୟନ୍ତ୍ରଣ କରିବା, ନିଜ ମନୋଭାବକୁ ନିୟନ୍ତ୍ରଣ କରିବା ଏବଂ ଏକାଗ୍ର ରହିବାରେ କଷ୍ଟ ଭୋଗିବାକୁ ପଡ଼ିଥାଏ।
ଏକ ଅଧ୍ୟୟନ ପାଇଁ ଗବେଷକମାନେ ୨୦୦୬ ରୁ ୨୦୧୧ ମଧ୍ୟରେ ୩୦୭ ଜଣ ଗର୍ଭବତୀ ମହିଳାଙ୍କ ରକ୍ତ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରୁ ସେମାନେ ଜାଣିପାରିଲେ ଯେ, ଆସିଟାମିନୋଫେନ୍ ବ୍ୟବହାର କରୁଥିବା ମା’ ମାନଙ୍କଠାରୁ ଜନ୍ମ ନେଉଥିବା ପିଲାମାନଙ୍କ ମଧ୍ୟରେ ଏଡିଏଚ୍ଡି ହେବାର ଆଶଙ୍କା ୧୮% ଅଧିକ ଥିଲା। ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ମାଆ ମାନଙ୍କଠାରୁ ଜନ୍ମ ନେଇଥିବା ଝିଅ ମାନଙ୍କୁ ପୁଅ ସନ୍ତାନ ସହ ତୁଳନା କରିବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ଆସଙ୍କା ଅଧିକ ରହିଥାଏ । ସାଧାରଣ ଯନ୍ତ୍ରଣା ନିବାରକ ଔଷଧର ପ୍ରଭାବ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଉପରେ ଛଅ ଗୁଣ ଅଧିକ ପଡ଼ିଥାଏ ।










