ତେହେରାନ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଆର୍) ର ମୁଖ୍ୟ ରାଫେଲ ଗ୍ରୋସି ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ଗ୍ରୋସିଙ୍କ ଅନୁଯାୟୀ, ୨୦୨୫ରେ ଆମେରିକା ଓ ଇସ୍ରାଏଲର ଭୟଙ୍କର ବଙ୍କର-ବଷ୍ଟର ଆକ୍ରମଣ ସତ୍ତ୍ୱେ ଇରାନର ପରମାଣୁ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇନାହିଁ।ଆଇଏଇଆର୍ ର ଆକଳନ ଅନୁସାରେ, ଇରାନ ପାଖରେ ଏବେ ବି ପ୍ରାୟ ୪୪୦ କିଲୋଗ୍ରାମରୁ ଅଧିକ ସମୃଦ୍ଧ ୟୁରାନିୟମ ଗଚ୍ଛିତ ଅଛି। ଏଥିମଧ୍ୟରୁ ପ୍ରାୟ ୨୦୦ କିଲୋଗ୍ରାମ ୬୦% ଶୁଦ୍ଧତା ବିଶିଷ୍ଟ, ଯାହାକୁ ସାମାନ୍ୟ ବିଶୋଧନ କଲେ ପ୍ରାୟ ୧୦ଟି ପରମାଣୁ ବୋମା ତିଆରି କରାଯାଇପାରିବ।
ବିଶେଷ କରି ଇସଫାହାନର ଭୂତଳ ସୁଡ଼ଙ୍ଗରେ ଏହି ଭଣ୍ଡାର ସୁରକ୍ଷିତ ଥିବା ସନ୍ଦେହ କରାଯାଉଛି। ଅପରେସନ୍ ମିଡନାଇଟ୍ ହାମର: ଜୁନ୍ ୨୦୨୫ରେ ଆମେରିକା ଓ ଇସ୍ରାଏଲ ନାଟାଞ୍ଜ, ଫୋର୍ଡୋ ଓ ଇସଫାହାନ ଉପରେ ପ୍ରବଳ ବୋମାମାଡ଼ କରିଥିଲେ। ଟ୍ରମ୍ପ ସରକାର ଏହାକୁ ସମ୍ପୂର୍ଣ୍ଣ ବିନାଶ କରିଥିବା କଥା କହିଥିଲେ ମଧ୍ୟ ଆଇଏଇଆର୍ କହିଛି ଯେ କାର୍ୟ୍ୟକ୍ରମ ଏବେ ବି ଜୀବିତ। ରିପୋର୍ଟ ଅନୁଯାୟୀ, ଆମେରିକା ଏବେ ଏକ ଅତି ଗୁପ୍ତ ସ୍ୱତନ୍ତ୍ର ବାହିନୀ ମିଶନ ଉପରେ ବିଚାର କରୁଛି। ଏହି ମିଶନର ଲକ୍ଷ୍ୟ ହେଉଛି ଇରାନର ଭୂତଳ କେନ୍ଦ୍ରରେ ଅନୁପ୍ରବେଶ କରି ପରମାଣୁ ଭଣ୍ଡାରକୁ ଜବତ କିମ୍ବା ସମୂଳେ ନଷ୍ଟ କରିବା। କିନ୍ତୁ ଯଦି ଏପରି ନହୋଇପାରେ ଏବଂ ଇରାନ ଏହି ସାମଗ୍ରୀ ବ୍ୟବହାର କରିବାରେ ସଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟ ସମେତ ସମଗ୍ର ବିଶ୍ୱର ସୁରକ୍ଷା ପ୍ରତି ଏକ ଅପୂରଣୀୟ ବିପଦ ସୃଷ୍ଟି ହେବ।









