ତେଲ ଅଭିଭ୍ : ୮ମ ଦିନରେ ପହଞ୍ôଚଛି ଇରାନ-ଇସ୍ରାଏଲ ଯୁଦ୍ଧ । ୮ମ ଦିନରେ ଇରାନ୍ ପୁଣିଥରେ ଇସ୍ରାଏଲ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଥିବା ସୂଚନା ମିଳିଛି । ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ କେବଳ କିଛି ଲୋକ ଆହତ ହୋଇଥିବା ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି । ତେବେ ଇରାନ୍ ପକ୍ଷରୁ କରାଯାଇଥିବା ଆଜିର ଆକ୍ରମଣ ଯୋଗୁ ଇସ୍ରାଏଲ୍ର ଦକ୍ଷିଣ ଭାଗରେ ଥିବା ବେରଶେବା, ହାଇଫା ଅଞ୍ଚଳ ଏବଂ ତେଲ ଅଭିଭ୍ ଏବଂ ଜେରୁସାଲେମରେ ଅନେକ ବିସ୍ଫୋରଣ ଶୁଣାଯାଇଥିବା ଅନେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଇସ୍ରାଏଲ୍ ସେନା କହିଛି ଯେ, ଇରାନ୍ ପକ୍ଷରୁ ବାଲିଷ୍ଟିକ୍ ମିସାଇଲ୍ କ୍ଷେପଣାସ୍ତ୍ର ଚିହ୍ନଟ ହେବା ପରେ ଇସ୍ରାଏଲ୍ର କେତେକ ରାଜ୍ୟରେ ଯୁଦ୍ଧ ସାଇରନ୍ ବାଜିଥିଲା, ଯାହାଫଳରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ ।
ଇସ୍ରାଏଲ୍ ସେନା (ଆଇଡିଏଫ୍) ଶୁକ୍ରବାର କହିଛି ଯେ, ଏହା ଗୁରୁବାର ରାତିରେ ଇରାନର ଏକ ପରମାଣୁ ଅସ୍ତ୍ର ପ୍ରକଳ୍ପର ଗବେଷଣା ଏବଂ ବିକାଶ କେନ୍ଦ୍ର ଉପରେ ଆକ୍ରମଣ କରିଛି । ଅନ୍ୟପକ୍ଷେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ କହିଛି ଯେ, ଗୁରୁବାର ଇସ୍ରାଏଲ ଉପରେ ୧୦୦ରୁ ଅଧିକ \”ଯୁଦ୍ଧ ଏବଂ ଆତ୍ମଘାତୀ’ ଡ୍ରୋନ୍ ମାଡ଼ କରାଯାଇଥିଲା । ସେହିପରି ଇରାନ୍ ଇସ୍ରାଏଲ୍ ଉପରେ କ୍ଲଷ୍ଟର ବୋମା ଦ୍ୱାରା ମଧ୍ୟ ଆକ୍ରମଣ କରିଥିବା ଦାବି କରିଛି ।
ଇସ୍ରାଏଲ୍ ଏବଂ ଆମେରିକା ମିଳିତ ଭାବେ ଇରାନ୍ ଏବଂ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନେଇଙ୍କୁ ହତ୍ୟା କରିବାର ଧମକ ଦେବା ପରେ ପରେ ପ୍ରଥମେ ରୁଷ୍ ଏବଂ ପରେ ଉତ୍ତର କୋରିଆ ସାମ୍ନାକୁ ଆସିଛନ୍ତି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଆମେରିକାକୁ ଇସ୍ରାଏଲ୍କୁ ସାମରିକ ସହଯୋଗ ନକରିବାକୁ ଏବଂ ଖାମେନେଇଙ୍କ ପ୍ରତି କୌଣସି ଆଘାତ ନକରିବାକୁ ଚେତାବନୀ ଦେଇଛନ୍ତି । ଆଉ ଏକ ରିପୋର୍ଟ ଅନୁସାରେ ଇରାନ୍ର ଶକ୍ତିଶାଳୀ ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବାରେ ଇସ୍ରାଏଲ୍ର ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ଭାବେ ଜଣାଶୁଣା ଆଇରନ୍ ଡୋମ୍ ସମ୍ପୂର୍ଣ୍ଣ ରୂପେ ବିଫଳ ପ୍ରମାଣିତ ହୋଇଛି ଯାହାକି ଇରାନ୍ର ଆତ୍ମବଳକୁ ବୃଦ୍ଧି କରିଛି । ଏସବୁ ମଧ୍ୟରେ ଇରାକ୍ ମଧ୍ୟ ଏବେ ଆମେରିକାକୁ ଏହି ଯୁଦ୍ଧରେ ସମ୍ପୃକ୍ତ ହେବାରୁ କ୍ଷାନ୍ତ ରହିବାକୁ ଚେତାବନୀ ଦେଇଥିବା ଜଣାପଡିଛି ।
ଗତ ୧୩ ତାରିଖରୁ ଇସ୍ରାଏଲ-ଇରାନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରୁ ଅନେକ ଲୋକ ପ୍ରାଣ ହରାଇସାରିଲେଣି । କିନ୍ତୁ ଏବେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) କହିଛି ଯେ, ଇରାନ୍ ପରମାଣୁ ଅସ୍ତ୍ର ତିଆରି କରୁଥିବାର କେବଳ ସୂଚନା ମିଳିଛି, ଏହାର କୌଣସି ପ୍ରମାଣ ନାହିଁ । ଆଇଏଇଏ ଏପରି କହିବା ନିଜର ପୂର୍ବ ଦାବିକୁ ଖଣ୍ଡନ କରିବା ଭଳି ହୋଇଛି । ଆଇଏଇଏ ପୂର୍ବରୁ ଦାବି କରିଥିଲା ଯେ, ଇରାନ୍ ଆଣବିକ କାର୍ଯ୍ୟକ୍ରମ ଜରିଆରେ ଅଣୁଅସ୍ତ୍ର ପ୍ରସ୍ତୁତ କରୁଛି । ଆଇଏଇଏ ଏବଂ ଏହାର ମୁଖ୍ୟ ରାଫେଲ ଗ୍ରୋସିଙ୍କ ଏପ୍ରକାର ମନ୍ତବ୍ୟ ଆସିବା ପରେ ପରେ ହିଁ ଇସ୍ରାଏଲ୍, ଇରାନ୍ ଉପରେ ଆକ୍ରମଣ କରିଥିଲା ।