ତେହରାନ୍: ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ଦୁର୍ବଳ ଯୁଦ୍ଧ ବିରତି ବୋଲି କୁହାଯାଉଛି । ତେବେ ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ବିରତି କରାଇଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏବେ ଏହି ଯୁଦ୍ଧ ବିରତି ହିଁ ଖୋଦ୍ ଟ୍ରମ୍ପଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକାର ନିଜ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଇରାନ ଏବେ ଆମେରିକା ବିରୋଧରେ ବଡ଼ଧରଣର ପ୍ରତିଶୋଧ ନେବାକୁ ଚାହୁଁଛି । ଆମେରିକାକୁ ଆମେରିକା ମାଟିରେ ହିଁ ପ୍ରକୃତ ଜବାବ ଦେବାକୁ ଇରାନ୍ ସେନା ଯୋଜନା କରୁଛି । ତେବେ ଇରାନ୍ ଏଥିପାଇଁ ଆମେରିକାରେ ନିଜ ସ୍ଲିପର ସେଲ୍କୁ ଆକ୍ଟିଭେଟ୍ ଅର୍ଥାତ୍ ସକ୍ରିୟ କରାଇବ । ଇରାନ୍ର ଏହି ସ୍ଲିପର ସେଲ୍ ହିଁ ଆମେରିକାକୁ ଆଭ୍ୟନ୍ତରୀଣ ସ୍ତରରେ ଏତେମାତ୍ରାରେ ଦୁର୍ବଳ କରିଦେବେ ଯେ, ଆମେରିକା ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିବ । ରିପୋର୍ଟରେ ପ୍ରକାଶ ପାଇଛି, ଇରାନର ଏହି ସ୍ଲିପର ସେଲ୍ ଏଜେଣ୍ଟମାନେ ଆମେରିକୀୟ ସହରଗୁଡ଼ିକରେ ଅନ୍ୟ ସାଧାରଣ ଲୋକଙ୍କ ଭଳି ଲୁଚି ରହିଛନ୍ତି । ଏହି ଏଜେଣ୍ଟମାନେ ଆମେରିକା ଭିତରେ ସାଇବର ଆକ୍ରମଣ ଏବଂ ଡ୍ରୋନ ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ।