26.1 C
Bhubaneswar
Monday, July 7, 2025
Homeଦେଶ ବିଦେଶନିଜ ବାୟୁସୀମା ବନ୍ଦ ନୀତିକୁ ବ୍ୟାପକ କଲା ଇରାନ୍‌

ନିଜ ବାୟୁସୀମା ବନ୍ଦ ନୀତିକୁ ବ୍ୟାପକ କଲା ଇରାନ୍‌

ଜେରୁଜେଲମ୍‌: ଯୁଦ୍ଧର ୧୨ଦିନରେ ଉଭୟ ଇସ୍ରାଏଲ ଏବଂ ଇରାନ୍ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ୧୩ତମ ଦିନରେ ଅର୍ଥାତ୍ ବୁଧବାର ଉଭୟ ଦେଶ ପକ୍ଷରୁ କୌଣସି ଆକ୍ରମଣ-ପ୍ରତ୍ୟାକ୍ରମଣ ମଧ୍ୟ ଦେଖିବାକୁ ମିଳିନାହିଁ। ତେବେ ଏହାକୁ ନେଇ ଯୁଦ୍ଧ ଶେଷ ହୋଇଯାଇଥିବା ନେଇ ବିଶ୍ୱସ୍ତରରେ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ତାହାକୁ କେହି ବିଶ୍ୱାସ କରୁନାହାନ୍ତି। କାରଣ ଉଭୟ ରାଷ୍ଟ୍ର ଏବେ ବି ନିଜ ସେନାକୁ ସତର୍କ ସଜାଗ ରଖିଛନ୍ତି। ସୀମାରେ ଏବେ ବି ନିଜ ସାମରିକ ବଳକୁ ମୁତୟନ ରଖାଯାଇଛି। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିବୁଲୁଛନ୍ତି ଯେ, ଆମେରିକାର ଗୋଟିଏ ଥରର ଆକ୍ରମଣ ଇରାନ-ଇସ୍ରାଏଲ୍ ଯୁଦ୍ଧକୁ ସମାପ୍ତ କରିଦେଲା। ଏପରିକି ସେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ହୋଇଥିବା କଥା ମଧ୍ୟ ଦୃଢ଼ତାର ସହ କହୁଛନ୍ତି। ଏପରିକି ବର୍ତ୍ତମାନ ସମୟରେ ଇରାନ୍‌କୁ ଆଣବିକ ଚୁକ୍ତି ସ୍ୱାକ୍ଷର ପାଇଁ ମଧ୍ୟ ବାଧ୍ୟ କରାଯିବାର କୌଣସି ଆବଶ୍ୟକତା ନଥିବା କଥା ମଧ୍ୟ ଟ୍ରମ୍ପ୍ କହୁଛନ୍ତି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରୁ ଉଭୟ ଦେଶ ମଧ୍ୟରେ କେବଳ ଏକ ଦୁର୍ବଳ ଯୁଦ୍ଧ ବିରତି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଯୁଦ୍ଧ ବିରତି ନେଇ ସହମତ ହୋଇଛି। ଏହା ସେପର୍ଯ୍ୟନ୍ତ ବଳବତ୍ତର ରହିବ ଯେପର୍ଯ୍ୟନ୍ତ ଅପରପାଶ୍ୱର୍ରୁ ଆକ୍ରମଣ ନହୋଇଛି। ନେତାନ୍ୟାହୁ ଏହି ଅବସରରେ ଗତ ୧୨ ଦିନ ମଧ୍ୟରେ ଇରାନ୍ ଉପରେ ନିଜ ସେନା (ଆଇଡିଏଫ୍‌) ଦ୍ୱାରା ହୋଇଥିବା ଆକ୍ରମଣ ଏବଂ ଏଥିରେ ହୋଇଥିବା ଇରାନ୍‌ର କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି, ଇରାନ୍‌ର ୧୪ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିବା ବେଳେ ଅନେକ ସାମରିକ କେନ୍ଦ୍ର, ଆଣବିକ କେନ୍ଦ୍ର ଏବଂ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ନଷ୍ଟ କରାଯାଇଛି। ଇରାନ୍‌ର ପ୍ରାୟ ୬ଶହରୁ ଅଧିକ ସାମରିକ କର୍ମଚାରୀ ପ୍ରାଣ ହରାଇଥିବା ନେଇ ମଧ୍ୟ ନେତାନ୍ୟାହୁ ଦାବି କରିଛନ୍ତି। ନେତାନ୍ୟାହୁ ଏହି ଯୁଦ୍ଧରେ ତାଙ୍କ ସେନା ଐତିହାସିକ ବିଜୟ ଲାଭ କରିଥିବା କହିଛନ୍ତି। ଅନ୍ୟପକ୍ଷେ ଇରାନ୍ ମଧ୍ୟ ସମାନ କଥା କହୁଛି। ଇରାନ୍ ଏହି ଯୁଦ୍ଧରେ ବିଜୟ ଲାଭ କରିଥିବା କହିଛି। ତେବେ ଏସବୁ ମଧ୍ୟରେ ଇରାନ୍ ଆଜି ଦିନରେ ମଧ୍ୟ ନିଜ ବାୟୁସୀମା ବନ୍ଦ ନୀତିକୁ ବ୍ୟାପକ କରିଥିବା ଜଣାପଡିଛି। ଅର୍ଥାତ୍ ଇରାନ୍ ଆଉ କିଛି ସହର ତଥା ପ୍ରାନ୍ତରେ ବାୟୁସୀମା ବନ୍ଦ କରିଛି। ସବୁଠୁ ବଡ଼ କଥା ହେଉଛି ଇରାନ୍ ଏବେ ପୁଣିଥରେ ଆଣବିକ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ସୂଚନା ମିଳିଛି। ସେହିପରି ଇରାନ୍‌ର କିଛି ସାମରିକ ଅଧିକାରୀ, ଆଜି ଦିନରେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଇସ୍ରାଏଲ୍‌କୁ ଆକ୍ରମଣର ପରିଣାମ ଭୋଗିବାକୁ ପଡ଼ିବ। ଇସ୍ରାଏଲ୍‌କୁ ସହଜରେ ଛଡାଯିବ ନାହିଁ। ଏସବୁରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଇରାନ-ଇସ୍ରାଏଲ୍ ଯୁଦ୍ଧ ବର୍ତ୍ତମାନ ସମୟରେ କେବଳ ନୀରବ ପଡ଼ିଛି। ବାସ୍ତବରେ ଉତ୍ତେଜନା ଶେଷ ହୋଇନାହିଁ।

ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ୧୨ ଦିନିଆ ଯୁଦ୍ଧ ଯୋଗୁଁ ବାଧାପ୍ରାପ୍ତ ଆଲୋଚନା ଜାରି ରଖିବା ପାଇଁ ଆମେରିକା ଏବଂ ଇରାନ ଅଧିକାରୀମାନେ ଆସନ୍ତା ସପ୍ତାହରେ ଆଲୋଚନା କରିବେ। ଏହି ସମୟରେ ଯୁଦ୍ଧ ସମାପ୍ତ ହୋଇଥିବା ନେଇ ମଧ୍ୟ ଇରାନ୍ ପକ୍ଷରୁ ଆଶ୍ୱସ୍ତ କରାଯିବ ବୋଲି ଟ୍ରମ୍ପ୍ ଆଶାବାଦୀ ଥିବା କଥା କହିଛନ୍ତି। ସେହିପରି ଅନ୍ୟପକ୍ଷେ ଇରାନର ସଂସଦ ଜାତିସଂଘର ଆଇଏଇଏ ସହିତ ସହଯୋଗକୁ ସ୍ଥଗିତ ରଖିବା ପାଇଁ ଏକ ବିଲ୍ ପାସ୍ କରିଛି, ତେବେ ଏଥିପାଇଁ ଇରାନ୍‌ର ଜାତୀୟ ସୁରକ୍ଷା ପରିଷଦର ଅନୁମୋଦନ ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking