ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲର ଏକ ରୋମାଞ୍ଚକର ଲୋସ୍କୋରିଂ ମ୍ୟାଚରେ କୋଲକାତାକୁ ୧୬ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କୋଲକାତା ଆଗରେ ମାତ୍ର ୧୧୨ ରନର ଏକ ଛୋଟିଆ ଲକ୍ଷ୍ୟ ରଖିଥିଲେ ବି କୋଲକାତା ୯୫ ରନ କରି ଅଲଆଉଟ ହୋଇଯାଇଥିଲା । କୋଲକାତା ପକ୍ଷରୁ ଅଙ୍ଗକ୍ରିତ ରଘୁବଂଶୀ ୩୭ ରନ କରିଥିବାବେଳେ ଅଜିଖ୍ୟ ରାହାଣେ ୧୭ ଓ ଆନ୍ଦ୍ରେ ରସେଲ ୧୭ ରନ କରିଥିଲେ । ପଞ୍ଜାବ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୪ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜାନସେନ ୩ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ପଞ୍ଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳପକ୍ଷରୁ ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରିୟାଂଶ ୨୨ ରନ ଓ ପ୍ରଭସିମରନ ୩୦ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଅଧିନାୟକ ଶ୍ରେୟାସ ଆୟର ଖାତା ଖୋଲିପାରିନଥିଲେ । ଶଶାଙ୍କ ସିଂ ୧୮ ରନ କରିଥିଲେ । ସେହିପରି ଜାଭିଏର ବାରଲେଟ୍ ୧୧ ରନ କରିଥିଲେ । କୋଲକାତା ପକ୍ଷରୁ ହର୍ଷିତ ରାଣା ୩ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ଓ ସୁନୀଲ ନାରାୟଣ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।