ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୫ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୮ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟରାଇଡର୍ସ । କୋଲକାତା ଆଗରେ ବିଜୟ ପାଇଁ ୧୦୪ ରନର ଏକ ମାମୁଲି ବିଜୟ ଲକ୍ଷ୍ୟ ଥିଲା, ଯାହାକୁ ଦଳ ୧୦.୨ ଓଭରରେ ୨ ଓି୍ବକେଟ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ସୁନୀଲ ନାରାୟଣ ୪୪ ରନ କରିଥିବାବେଳେ କ୍ବିଣ୍ଟନ ଡିକକ୍ ୨୩ ରନ କରିଥିଲେ । ସେହିପରି ଅଜିଙ୍କ୍ୟ ରାହାଣେ ୨୦ ରନ ଓ ରିଙ୍କୁ ସିଂ ୧୫ ରନ କରିଥିଲେ ।
ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ଦେଓ୍ବନ କନଓ୍ବେ ଓ ରାଚିନ ରବୀନ୍ଦ୍ର ବ୍ୟାଟିଂ ଓପନ କରିଥିଲେ । କିନ୍ତୁ ରାଚିନ ମାତ୍ର ୪ ରନ କରିଆଉଟ ହୋଇଥିଲେ। କନଓ୍ବେ ମଧ୍ୟ ୧୪ ରନ କରି ଆଉଟ ହୋଇଥିଲେ । ଏହାପରେ ଦଳର ବ୍ୟାଟିଂରେ ଆଉ ସୁଧାର ଦେଖିବାକୁ ମିଳିନଥିଲା । ତେବେ ଶୁଭମ ଦୁବେ ଓ ବିଜୟ ଶଙ୍କର କିଛି ସମୟ କୋଲକାତା ବୋଲରଙ୍କ ମୁକାବିଲା କରିଥିଲେ । ଦୁବେ ୩୧ ରନ ଓ ଶଙ୍କର ୨୯ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଶୋଚନୀୟ ଭାବେ ବିଫଳ ହୋଇଥିଲେ । କୋଲକାତା ପକ୍ଷରୁ ସୁନୀଲ ନାରାୟଣ ୩ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ଓ ହର୍ଷିତ ରାଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।