30.1 C
Bhubaneswar
Sunday, February 8, 2026
Homeଖେଳଆଜିଠାରୁ ଆଇପିଏଲ୍ ୨୦୨୫ ମେଗା ଅକ୍ସନ୍‌: ସାମିଲ ହେବେ ଶ୍ରେୟସ, ପନ୍ତ୍ ଓ ରାହୁଲ

ଆଜିଠାରୁ ଆଇପିଏଲ୍ ୨୦୨୫ ମେଗା ଅକ୍ସନ୍‌: ସାମିଲ ହେବେ ଶ୍ରେୟସ, ପନ୍ତ୍ ଓ ରାହୁଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ ପାଇଁ ହେବାକୁ ଥିବା ମେଗା ଖେଳାଳି ଅକ୍ସନ୍ ପାଇଁ ମଞ୍ଚ ସଜା ସରିଛି ଏବଂ ସମସ୍ତ ୧୦ ଫ୍ରାଞ୍ଚାଇଜି ଟିମ୍ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ନଭେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ସାଉଦି ଆରବ ଜେଦାହରେ ହେବାକୁ ଥିବା ନିଲାମୀରେ ମୋଟ ୫୭୭ ଖେଳାଳି ଭାଗନେବେ। ଅକ୍ସନ୍ ପୂର୍ବରୁ ସମସ୍ତ ୧୦ ଟିମ୍ ନିଜ ନିଜର ରିଟେନ୍‌ସନ୍ ସୂଚୀ ଜାରି କରିଥିବା ବେଳେ ମୋଟ ୪୬ ଖେଳାଳି ରିଟେନ୍ ହୋଇଥିଲେ। ଡିଫେଣ୍ଡିଂ ଚାମ୍ପିଅନ୍ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଟିମ୍ ସର୍ବାଧିକ ୬ ଜଣ ଲେଖାଏଁ ଖେଳାଳି ରିଟେନ୍ କରିଥିବା ବେଳେ ସେମାନଙ୍କ ନିକଟରେ ରାଇଟ୍ ଟୁ ମ୍ୟାଚ୍ (ଆର୍‌ଟିଏମ୍‌) କାର୍ଡ ଉପଲବ୍ଧ ନାହିଁ। ନିଲାମୀରେ ସାମିଲ ହେବାକୁ ଥିବା ୫୭୭ ଖେଳାଳିଙ୍କ ମଧ୍ୟରେ ୧୨ ଜଣ ମାର୍କି ଖେଳାଳି ରହିଛନ୍ତି ଏବଂ ସେମାନଙ୍କ ଦୁଇଟି ସେଟ୍‌ରେ ଭାଗ କରାଯାଇଛି। ସୂଚନାଯୋଗ୍ୟ, ମାର୍କି ଖେଳାଳି ଅକ୍ସନ୍‌ରେ ସର୍ବପ୍ରଥମେ ଆସିବେ। ଏହାପରେ ଅନ୍ୟ କ୍ୟାପ୍‌ଡ୍ ଖେଳାଳିଙ୍କ ବୋଲି ଲଗାଯିବ। ପରେ ଅନ୍‌କ୍ୟାପ୍‌ଡ ଖେଳାଳିଙ୍କ ନମ୍ବର ଆସିବ। ଚଳିତ ମେଗା ଅକ୍ସନ ପାଇଁ ମୋଟ ୧୫୭୪ ଖେଳାଳି ନାମ ପଞ୍ଜୀକୃତ କରିଥିବା ବେଳେ ୫୭୭ ଖେଳାଳିଙ୍କୁ ଚୟନ କରାଯାଇଛି। ଏହା ମଧ୍ୟରେ ୩୬୭ ଭାରତୀୟ, ୨୧୦ ବିଦେଶୀ ଏବଂ ୩ ଜଣ ସହଯୋଗୀ ଦେଶର ଖେଳାଳି ରହିଛନ୍ତି। ଚଳିତ ଥର ମୋଟ ୩୩୧ ଅନ୍‌କ୍ୟାପ୍‌ଡ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବ, ଯାହା ମଧ୍ୟରେ ୩୧୯ ଭାରତୀୟ ଓ ୧୯ ବିଦେଶୀ ଖେଳାଳି ସାମିଲ। ସମସ୍ତ ୧୦ ଫ୍ରାଞ୍ଚାଇଜି ଖାଲିଥିବା ୨୦୪ ସ୍ଥାନ ପାଇଁ ବୋଲି ଲଗାଇବେ। ଚଳିତ ଥର ଅକ୍ସନ୍‌ରେ ବହୁ ବଡ଼ ବଡ଼ ଖେଳାଳି ସାମିଲ ହେବେ। ଏହା ମଧ୍ୟରେ ଶ୍ରେୟସ୍ ଆୟର, ଋଷଭ ପନ୍ତ, କେଏଲ୍ ରାହୁଲ, ଅର୍ଶଦୀପ ସିଂହ, ଜୋସ୍ ବଟ୍‌ଲର୍ ଏବଂ ମିଚେଲ୍ ଷ୍ଟାର୍କଙ୍କ ପରି ମହାନ୍ ଖେଳାଳି ସାମିଲ। ସେମାନଙ୍କ ଟିମ୍ ସେମାନଙ୍କୁ ରିଟେନ୍ କରିନଥିଲେ। ଶ୍ରେୟଶଙ୍କ ନେତୃତ୍ୱରେ କେକେଆର୍ ଆଇପିଏଲ୍ ୨୦୪ ଟାଇଟଲ୍ ଜିତିଥିଲା। ସେହିପରି ଚଳିତ ଥର ଅକ୍ସନ୍‌ରେ ୫ ଜଣ ଏପରି ଖେଳାଳି ସାମିଲ ହେବେ ଯେଉଁମାନେ ଗତ ସିଜନ୍ ପର୍ଯ୍ୟନ୍ତ ନିଜ ଟିମ୍‌ର କ୍ୟାପ୍‌ଟେନ୍ ଥିଲେ। ସେମାନଙ୍କ ମଧ୍ୟରେ ଶ୍ରେୟସ୍ ଆର୍ (କେକେଆର୍‌), ଋଷଭ ପନ୍ତ୍ (ଦିଲୀ କ୍ୟାପିଟାଲ୍ସ), କେଏଲ୍ ରାହୁଲ (ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ), ଫାପ୍ ଡୁପ୍ଲେସିସ୍ (ଆର୍‌ସିବି) ଏବଂ ସାମ୍ କରନ୍ (ପଞ୍ଜାବ କିଙ୍ଗ୍‌ସ) ସାମିଲ। ନଭେମ୍ବର ୨୪ ଓ ୨୫ ଦୁଇଦିନ ଧରି ହେବାକୁ ଥିବା ମେଗା ଅକ୍ସନ୍ ରବିବାର ଅପରହ୍ଣ ୩.୩୦ରେ ଆରମ୍ଭ ହେବ। ଷ୍ଟାର୍ ସ୍ପୋର୍ଟ୍ସ ନେଟ୍‌ୱର୍କରେ ଏହାର ସିଧା ପ୍ରସାରଣ କରାଯିବ। ଏହା ବ୍ୟତୀତ ମେଗା ଅକ୍ସନର ଅନ୍‌ଲାଇନ୍ ଷ୍ଟ୍ରିମିଂ ଜିଓ ସିନେମା ଆପ୍‌ରେ ମଧ୍ୟ ଉପଲବ୍ଧ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking