28.1 C
Bhubaneswar
Saturday, October 5, 2024
Homeଓଡିଶାଯାଜପୁର ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୪ ପାଳିତ

ଯାଜପୁର ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୪ ପାଳିତ

ଯାଜପୁର : ମଙ୍ଗଳ ବାର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଯାଜପୁର ଆନୁକୁଲ୍ୟରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ବରିଷ୍ଠ ନାଗରିକମାନେ ସମାଜର ଏକ ମୁଖ୍ୟ ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଛନ୍ତି। ସେମାନଙ୍କର କ’ଣ ସମସ୍ୟା, ଅସୁବିଧା ରହିଛି, ସେମାନଙ୍କର ମଙ୍ଗଳ ପାଇଁ କ’ଣ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ କରିବାକୁ ପଡ଼ିବ। ସେମାନଙ୍କର ଅଭିଜ୍ଞତା, ଜ୍ଞାନ ଆଗାମୀ ପୀଢ଼ି ଉପଯୋଗ କରିପାରିବେ। କିଛି ବରିଷ୍ଠ ନାଗରିକ ମାନେ ଆର୍ଥିକ ସ୍ୱଚ୍ଛଳ ଅଛନ୍ତି। ଯେଉଁମାନେ ଅଭାବରେ ଅଛନ୍ତି ସେମାନଙ୍କୁ ସରକାରୀ ପେନସନ ପ୍ରଦାନ କରାଯାଉଛି। ବରିଷ୍ଠ ନାଗରିକମାନେ ନିଜକୁ ଏକୁଟିଆ ଅନୁଭବ କରିବା ଉଚିତ୍ ନୁହେଁ, ସେମାନେ ପରିବାର, ସାମାଜିକ ଅନୁଷ୍ଠାନ ସହିତ ସମୟ ଦେଲେ ଭଲରେ ରହିପାରିବେ। ବୃଦ୍ଧାବସ୍ଥାରେ ଶାରୀରିକ ଅସୁସ୍ଥତା, ଜୀବନଶୈଳୀ, ସୁରକ୍ଷା ଆବଶ୍ୟକ କରନ୍ତି। ମୁଖ୍ୟ ଚିକିତ୍ସାଳୟରେ ଜେରିଆଟ୍ରିକ ୱାର୍ଡ ଭଲ ଭାବେ କାର୍ଯ୍ୟକ୍ଷମ ହେବା, ଜିଲ୍ଲାର ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ପୁଅ, ଝିଅମାନେ ବୃଦ୍ଧାବସ୍ଥାରେ ବାପା, ମା’ ମାନଙ୍କୁ ଅବହେଳା କରନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଉପ- ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ଅଧିକାରୀ ରହିଛନ୍ତି। ଏହି ଦିବସରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ବୃଦ୍ଧାବସ୍ଥା ହେଉଛି ଜୀବନର ଶେଷ ପର୍ଯ୍ୟାୟ ବୋଲି କହିଲେ। ବରିଷ୍ଠ ନାଗରିକମାନଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ବରିଷ୍ଠ ନାଗରିକମାନେ ବିଷାଦଗ୍ରସ୍ତ ନହୋଇ ଖୁସିରେ ରହିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଶିବାଶିଷ ମହାରଣା ଯୋଗଦେଇ କହିଲେ, ବରିଷ୍ଠ ନାଗରିକମାନେ ସମ୍ମାନର ସହିତ ବଞ୍ଚିବେ। ସେମାନଙ୍କର ମାନସିକ ସ୍ବାସ୍ଥ୍ୟ, ଶାରୀରିକ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା କହିଲେ ମନୁଷ୍ୟ ୪ଟି ପର୍ଯ୍ୟାୟରେ ଜୀବନ ଅତିବାହିତ କରେ। ୪ର୍ଥ ଅବସ୍ଥା ହେଉଛି ଜଟିଳ ଅବସ୍ଥା। ସେମାନଙ୍କ ମୁହଁରେ ହସ ଫୁଟାଇବା, ଆନନ୍ଦରେ ରଖିବା, ଯତ୍ନ ନେବା, ଯଥୋଚିତ୍ ସହଯୋଗ କରିବା, ସେଥିପାଇଁ ସାରା ବିଶ୍ଵରେ ଅକ୍ଟୋବର ୧ ତାରିଖକୁ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯାଉଛି। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ଯାଜପୁର ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ୯୯,୯୭୨ ଜଣଙ୍କୁ ପେନସନ ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ୬୦ ରୁ ୭୯ ବର୍ଷର ୯୦,୫୦୪ ଜଣ ଓ ୫୦ ବର୍ଷରୁ ଉର୍ଦ୍ଧ୍ବ ୯୪୬୮ ଜଣ ଭତ୍ତା ପାଉଛନ୍ତି। ସେହିପରି ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଜିଲ୍ଲାରେ ୬୧,୧୮୨ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ୬୦ ରୁ ୭୯ ବର୍ଷର ୫୧,୭୩୭ ଜଣ ଓ ୫୦ ବର୍ଷରୁ ଉର୍ଦ୍ଧ୍ବ ୯,୪୪୫ ଜଣ ବରିଷ୍ଠ ନାଗରିକମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଜିଲ୍ଲାରେ ୬ଟି ବୃଦ୍ଧାଶ୍ରମ କାର୍ଯ୍ୟକ୍ଷମ ରହିଛି। ରାଜ୍ୟ ହେଡକ୍ୱାର୍ଟର ରେ ଜେରିଆଟ୍ରକ୍ କେୟାର ସେଣ୍ଟର୍ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫିଜିଓଥେରାପି ଚିକିତ୍ସା ପ୍ରଦାନ କରାଯାଉଛି। ଏ ବର୍ଷର ବିଷୟବସ୍ତୁ ହେଉଛି ସମ୍ମାନ ସହିତ ବାର୍ଦ୍ଧକ୍ୟ, ବିଶ୍ବବ୍ୟାପୀ ବୟସ୍କ ବ୍ୟକ୍ତିଙ୍କ ପାଇଁ ଯତ୍ନ ଏବଂ ସହାୟତା ପ୍ରଣାଳୀକୁ ମଜବୁତ୍ କରିବାର ଗୁରୁତ୍ଵ। ଏହି ଦିବସରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ନାଗରିକ ସଂଘ, ଯାଜପୁର , ସଭାପତି ନୃସିଂହ ଚରଣ ମହାପାତ୍ର, ସମ୍ପାଦକ ବରିଷ୍ଠ ନାଗରିକ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମଲଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଏହି ଦିବସରେ ବରିଷ୍ଠ ନାଗରିକ ମାନଙ୍କର ସକାଳ ୭ ରୁ ୮.୩୦ ଯୋଗ ଓ ପ୍ରାଣାୟାମ, ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିଲା। ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking