18.1 C
Bhubaneswar
Wednesday, February 4, 2026
Homeଓଡିଶା୨୬ ଡିସେମ୍ବରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ

୨୬ ଡିସେମ୍ବରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଆୟୋଜନ କରାଯିବ। ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରାୟ ୩୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିବେ। ଭାରତ ବାହାରୁ ପ୍ରାୟ ୧୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିବେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ଛତିଶଗଡ଼ ଆଦି ରାଜ୍ୟ ସହ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ମାଲେସିଆ ଆଦି ଦେଶର ନୃତ୍ୟଶିଳ୍ପୀମାନେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ଅଂଶଗ୍ରହଣ କରିବେ। ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ବିଷ୍ଣୁତତ୍ତ୍ୱ ଦାସ, ନନ୍ଦିନୀ ଘୋଷାଲ, ସଂଗୀତା ଦାସ, ରମିଲ ଇବ୍ରାହିମ୍, ଆଲୋକା କାନୁନଗୋ ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବରେ ଏକକ, ଦ୍ୱୈତ୍ୟ ଏବଂ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଆୟୋଜନ ହେବା ପରିପ୍ରେକ୍ଷୀରେ ଗୁରୁ କେଳୁ ଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଶୀ ନୃତ୍ୟ ସମ୍ପର୍କିତ ଚିତ୍ରକଳା କର୍ମଶାଳା ଏବଂ ସଙ୍ଗୀତ ଯୁଗଳବନ୍ଦୀ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ୩୦ଜଣ ବରିଷ୍ଠ କଳାକାର ଅଂଶଗ୍ରହଣ କରିଥିଲେ। ଆଜି କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ସମସ୍ତ ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ “ଚା’, ଚିତ୍ର, ଚର୍ଚ୍ଚା” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯେଉଁଥିରେ ବରିଷ୍ଠ କଳାକାରମାନେ ଓଡ଼ିଶୀ ନୃତ୍ୟ ଚିତ୍ରକଳା ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଚିତ୍ରକଳା କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ ସଙ୍ଗୀତ ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ିଶା ଲଳିତ କଳା ଏକାଡେମୀର ପ୍ରାକ୍ତନ ସଚିବ ଶ୍ରୀ ତାରାକାନ୍ତ ପରିଡ଼ା, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking