ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଉଦ୍ଯାପନୀ କାର୍ଯ୍ୟକ୍ରମ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦ୍ଯାପନୀ ସନ୍ଧ୍ୟାରେ ରାସେଶ୍ୱରଙ୍କ ରାସଲୀଳାକୁ ଓଡ଼ିଶୀ ନୃତ୍ୟରେ ରୂପାନ୍ତରିତ କରିଥିଲେ ଗୁରୁ ଆଲୋକା କାନୁନଗୋ। ରାଗ “ପାହାଡି” ଏବଂ “ମାଳିକା” ତାଳରେ କବି ଜୟଦେବଙ୍କ ରଚିତ ଅଷ୍ଟପଦୀ “ସଖି ହେ କେଶି ମଦନ ମୁଦାରମ୍”କୁ ସୁନ୍ଦର ଭାବେ ପରିବେଷଣ କରିଥିଲେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ଆଲୋକା କାନୁନ ଗୋ। ପଣ୍ଡିତ ଭୁବନେଶ୍ୱର ମହାପାତ୍ରଙ୍କ ସଂଗୀତ ସଂଯୋଜନା ଏବଂ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂରଚନାରେ ଆଲୋକାଙ୍କ ପରିବେଷଣ ଆଜି ରବୀନ୍ଦ୍ର ମଣ୍ଡପରେ ଭାବବିହ୍ଵଳ ପରିବେଷ ସୃଷ୍ଟି କରିଥିଲା। ରାସେଶ୍ୱରୀଙ୍କ ଠାଣି ଓ ବାଣୀ ଏବଂ ରାସେଶ୍ୱରଙ୍କ ମହାରାସକୁ ଓଡ଼ିଶୀର ଛନ୍ଦରେ ଛନ୍ଦାୟିତ କରିଥିଲେ ଗୁରୁ ଆଲୋକା। “ଶ୍ରୀରାଧାଙ୍କ ବିରହ ଏବଂ ଶ୍ରୀକୃଷ୍ଣଙ୍କ ରାସଲୀଳାଙ୍କୁ ଦର୍ଶକଙ୍କ ସମ୍ମୁଖରେ ପ୍ରସ୍ତୁତ କରିବା ମୋ ପାଇଁ ସୌଭାଗ୍ୟ। ଜୟଦେବଙ୍କ ଗୀତଗୋବିନ୍ଦ ମତେ ସର୍ବଦା ଅନୁପ୍ରାଣିତ କରିଛି”, ବୋଲି ମତ ରଖିଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଆଲୋକା କାନୁନ ଗୋ।
ଆଜି ଉଦ୍ଯାପନୀ ଦିବସର ପ୍ରଥମ ଅଧିବେଶନରେ ଲିଙ୍ଗରାଜ କଳା ନିକେତନ ଅନୁଷ୍ଠାନର ଶିଳ୍ପୀମାନେ ଅଭିନୟ “ଶକ୍ତି ସୂରୁପା”, ନୃତ୍ୟଶିଳ୍ପୀ ଅଙ୍କିତା ବେହେରା ଅଭିନୟ “ଚମକେ ଚପଳା ଚିକ୍କଣ ଦେଖ”, ସୁହାନା ମିଶ୍ର “ସ୍ଥାୟୀନୃତ୍ୟ”, ଜୋୟିତା ପାଲ ଏବଂ ଅଗ୍ନିଶା ବାସାକ “ବିନାୟକ ଏକଦନ୍ତ ଉମାସୂତ”, ଦୀପ୍ତିଶ କୁମାର ଶତପଥୀ ଅଭିନୟ “ନବରସ”, ରାଧିକା ରାଜେଶ କୁବେଡେ ଅଭିନୟ “ଗୀତ ଗୋବିନ୍ଦ ହରି ହର ମୁଗ୍ଧ ବଧୁ ନିକରେ”, ସୁଭାସିନି ମଲ୍ଲିକ ଏବଂ ସୁଭାଶ୍ରୀ ଶୁଚିସ୍ମିତା ମଲ୍ଲିକ ଅଭିନୟ “ମଧୁରାଷ୍ଟକ”, ଇନ୍ଦ୍ରଜିତ୍ ସରକାର “ବିଳହାରୀ ପଲ୍ଲବୀ”, ସ୍ଵର୍ନ୍ନାଙ୍କି ଦାସ ଅଭିନୟ “ସଖିରେ ଘନ ଘନ ବଂଶୀ ସ୍ଵନ” ଏବଂ ଦେବର୍ଚ୍ଚନା ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନେ ଅଭିନୟ “ରାଧାରାଣୀ ସଙ୍ଗେ ମୁରଲୀ ପାଣି” ପରିବେଷଣ କରିଥିଲେ। ଅପରାହ୍ନ ଅଧିବେଶନରେ ନଟସୁତ୍ର ରିସର୍ଚ୍ଚ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟର ଶିଳ୍ପୀମାନେ ଦଳଗତ ନୃତ୍ୟାଭିନୟ “ନୀଳସରସ୍ଵତୀ ବନ୍ଦନା” ପରିବେଷଣ କରିଥିଲେ। ପରେ ପରେ ରମାକାନ୍ତ ସାହୁ “ପଲ୍ଲବୀ”, ପ୍ରୀତିପ୍ରଜ୍ଞା ଦାସ ଓ ରଞ୍ଜିତା ପ୍ରିୟଦର୍ଶିନୀ ପାଣି ଅଭିନୟ “ଅର୍ଦ୍ଧନାରୀଶ୍ଵର”, ଶୁଭ୍ରକାନ୍ତ ପ୍ରଧାନ “କୋଣାର୍କ କାନ୍ତି”, ସ୍ଵାଗତିକା ସାହୁ ଓ ଦିବ୍ୟ ପ୍ରିୟଦର୍ଶିନୀ ଦାସ ଅଭିନୟ “ଶିବପଞ୍ଚକ”, ଇତିଶ୍ରୀ ମହାନ୍ତି ଅଭିନୟ “ଅଷ୍ଟପଦୀ” ଏବଂ ଶେଷରେ ନୃତ୍ୟରଚନା ଅନୁଷ୍ଠାନର ଶିଳ୍ପୀମାନେ ଅଭିନୟ “ଦୁର୍ଗାସ୍ତୁତି” ପରିବେଷଣ କରିଥିଲେ।
ସନ୍ଧ୍ୟା ଅଧିବେଶନରେ ନୃତ୍ୟଶିଳ୍ପୀ ପ୍ରୀତି ମହାପାତ୍ରଙ୍କ ଦ୍ୱାରା “କୈବର୍ତ୍ତ ପ୍ରସଙ୍ଗମ” , ବିଦିଷା ବାସୁମଲ୍ଲୀକ ଏବଂ ରୋହିଣୀ ସାମଲଙ୍କ ଦ୍ୱାରା “ଗୋବିନ୍ଦ ଦାମୋଦର ଅଷ୍ଟକମ୍”, ପୌଲମୀ ଚକ୍ରବର୍ତ୍ତୀଙ୍କ ଦ୍ୱାରା “ବସନ୍ତ ପଲ୍ଲବୀ”, ମୌସମୀ ମଧୁ ଓ ପ୍ରଣଭୀ ଅନ୍ନଦୁରାଇଙ୍କ ଦ୍ୱାରା “ରାସ ପଲ୍ଲବୀ” ଶିମନ୍ତିନି ମିତ୍ର ବେଉରାଙ୍କ ଦ୍ୱାରା “ଶିବମ୍ ଧିମମ୍” ପରିବେଷିତ ହୋଇଥିଲା। ଶେଷରେ ଦର୍ପଣୀ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ “କ୍ରୀଷ୍ଣା ତୁଭ୍ୟଂ ନମଃ” ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଆଜିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ସଂଗୀତ ଗାୟିକା ଡକ୍ଟର ଶ୍ୟାମାମଣି ଦେବୀ, ବିଶିଷ୍ଟ ଓଡିଶୀ ସଙ୍ଗୀତ ଗାୟକ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଆୟକର ବିଭାଗର ପ୍ରାକ୍ତନ ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ, ଗୁରୁ ଡକ୍ଟର ଜ୍ୟୋତ୍ସ୍ନାରାଣୀ ସାହୁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼.ଚନ୍ଦ୍ରଶେଖର ହୋତା ଓ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରାୟ ୩୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ଭାରତ ବାହାରୁ ପ୍ରାୟ ୧୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ବିଶିଷ୍ଟ ନୃତ୍ୟଶିଳ୍ପୀ ବିଷ୍ଣୁତତ୍ତ୍ୱ ଦାସ, ନନ୍ଦିନୀ ଘୋଷାଲ, ସଙ୍ଗୀତା ଦାଶ, ରମଲି ଇବ୍ରାହିମ୍, ଆଲୋକା କାନୁନଗୋ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଚଳିତ ବର୍ଷ ଓଡ଼ିଶୀ ନୃତ୍ୟକୁ ଆଧାର କରି ଏକ ଚିତ୍ରକଳା ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା। “ଆମ ଓଡ଼ିଶୀ” ସେଲ୍ଫି ଷ୍ଟାଣ୍ଡ ଏବଂ ଓଡ଼ିଶୀ ନୃତ୍ୟକୁ ଆଧାର କରି ନିର୍ମିତ ହୋଇଥିବା ବାଲୁକା କଳାକୃତି ଯୁବପିଢ଼ିଙ୍କୁ ବେଶ୍ ଆକର୍ଷିତ କରିଥିଲା।










