15.1 C
Bhubaneswar
Saturday, December 20, 2025
Homeଓଡିଶାଯାଜପୁର ଜିଲ୍ଲାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଯାଜପୁର ଜିଲ୍ଲାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଯାଜପୁର: ଶନିବାର ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ପାଳିତ ହୋଇଯାଇଅଛି। ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଯୋଗଦେଇ କହିଲେ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ସମଗ୍ର ବିଶ୍ୱରେ କନ୍ୟା ଶିଶୁଙ୍କ ଅଧିକାର, ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ପାଇଁ ଜାଗୃତି ଆଣିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଦିନଟି ଆମକୁ ସ୍ମରଣ କରାଏ ଯେ ଜଣେ କନ୍ୟା ଶିଶୁ ମାତ୍ର ଘରର ଅଂଶ ନୁହେଁ, ସେ ହେଉଛନ୍ତି ଦେଶର ଭବିଷ୍ୟତ, ସେ ହେଉଛନ୍ତି ଉନ୍ନତି ଓ ପ୍ରଗତିର ଶକ୍ତି।ଏହି ଦିନଟି ଆମକୁ ମନୁଷ୍ୟତାର ମୂଳ ମନ୍ତ୍ରକୁ ସ୍ମରଣ କରାଏ — ସମସ୍ତ ଶିଶୁ ସମାନ, ସେମାନଙ୍କ ଲିଙ୍ଗ ଭେଦ ନ ହୋଇ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ । କୌଣସି କନ୍ୟା ଶିଶୁ ଅଶିକ୍ଷିତ ନ ରହିବା, ସେମାନେ ଶିକ୍ଷା ଓ ସମ୍ମାନର ସମାନ ଅଧିକାର ପାଇବା ଦରକାର। ଆମେ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ନିଜ ଭୂମିକା ସଫଳ ଭାବେ ପାଳନ କରିବା ଉଚିତ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଉକ୍ତ ଦିବସରେ ଯୋଗଦେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ ଯୋଗ ଦେଇ କହିଲେ ଏହି ଦିନର ମୂଳ ସନ୍ଦେଶ ହେଉଛି କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ହେଉଛି ଦେଶର ଅଗ୍ରଗତିର ଭିତ୍ତି। ତେଣୁ ସେମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସମ୍ମାନ ନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଆଜି ଭାରତର ଅନେକ କନ୍ୟା ଶିଶୁ ବିଜ୍ଞାନ, ଖେଳ, ସାହିତ୍ୟ ଓ ପ୍ରଶାସନୀୟ ମଞ୍ଚରେ ନିଜ ପ୍ରତିଭାର ପ୍ରମାଣ ଦେଉଛନ୍ତି। ଆମ ରାଜ୍ୟ ଓ ଜିଲ୍ଲାର ଝିଅମାନେ ମଧ୍ୟ ଖେଳକୁଦ, ପାଠପଢ଼ା ଓ ସେବା କ୍ଷେତ୍ରରେ ଅପୂର୍ବ ଉଦାହରଣ ସୃଷ୍ଟି କରୁଛନ୍ତି। ଏହା ଆମ ପାଇଁ ଗର୍ବର ବିଷୟ। ଏବେମଧ୍ୟ ଅନେକ କନ୍ୟା ଶିଶୁ ଅନ୍ୟାୟ, ଅବହେଳା ଓ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଆମ ସମସ୍ତଙ୍କ ସହଯୋଗ ଓ ଆଶ୍ରୟ ଆବଶ୍ୟକ।

ଉକ୍ତ ଦିବସରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର କହିଲେ କନ୍ୟା ସନ୍ତାନ ମାନଙ୍କ ନିମନ୍ତେ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଜିଲ୍ଲା ସ୍ତରରେ ଏବଂ ବ୍ଲକ୍ ସ୍ତରରେ ବିଭିନ୍ନ ପ୍ରକାର କମିଟି ଗଠନ କରାଯାଇଛି। ବାଲ୍ୟ ବିବାହ ନିରାକରଣ, ପି.ସି.ପି.ଏନ୍.ଡି.ଟି ଆକ୍ଟ, ଶିଶୁ ଶ୍ରମିକ ବିରୋଧ, ବିଭିନ୍ନ କ୍ଷେତ୍ରରେ କନ୍ୟା ସନ୍ତାନ ମାନଙ୍କୁ ସୁରକ୍ଷା ଆଦି କ୍ଷେତ୍ରରେ ପୁଙ୍ଖାନୁପୁଙ୍ଖ ଭାବେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଦିବସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସୁପରିଟେଣ୍ଡେଣ୍ଟ ଡ଼ା. ମନୋଜ କୁମାର ସାହୁ ଯୋଗଦେଇ କହିଲେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ନାରୀ ଓ କନ୍ୟା ଶିଶୁଙ୍କ ସ୍ଥାନ ସଦା ସମୟରେ ମୁଲ୍ୟବାନ ରହିଛି। କିନ୍ତୁ ଦୁଃଖର କଥା ଯେ, ଆଜି ମଧ୍ୟ ଅନେକ ସ୍ଥାନରେ କନ୍ୟା ଶିଶୁମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁଯୋଗ ଅଭାବରେ ପଛୁଆ ରହିଯାଉଛନ୍ତି। କନ୍ୟା ଶିଶୁଙ୍କ ସ୍ୱାସ୍ଥ୍ୟ ହେଉଛି ଜାତିର ଭବିଷ୍ୟତର ସ୍ୱାସ୍ଥ୍ୟ।

ଯେତେବେଳେ ଆମେ ଏକ ଶିଶୁ କନ୍ୟାକୁ ସୁସ୍ଥ ରଖିପାରୁ, ସେ ଆଗାମୀ ଦିନରେ ଜଣେ ସୁସ୍ଥ ମା, ଜଣେ ସୁଶିକ୍ଷିତ ନାଗରିକ ଓ ଜଣେ ସଚେତନ ସମାଜ ଗଠନକାରୀ ଭାବେ ଗଢ଼ିଉଠନ୍ତି। ଆମକୁ ଶିଶୁ ସ୍ତରରୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଆବଶ୍ୟକ। ଗର୍ଭାବସ୍ଥାରୁ ଆରମ୍ଭ କରି ଶିଶୁଜନ୍ମ, ଟିକାକରଣ, ପୌଷ୍ଟିକ ଖାଦ୍ୟ, ଏବଂ କିଶୋରୀ ଅବସ୍ଥାର ସ୍ୱାସ୍ଥ୍ୟ ଦେଖାଶୁଣା ଏହି ସବୁ ଅଂଶରେ ମେଡିକାଲ୍ ଟିମ୍ ଓ ସମାଜର ସହଯୋଗ ଅତ୍ୟନ୍ତ ଆବଶ୍ୟକ। ପ୍ରତ୍ୟେକ ବ୍ଲକ ରୁ ଆସିଥିବା କିଶୋରୀ ବାଳିକା ମାନଙ୍କ ମଧ୍ୟରେ କ୍ୱିଜ଼, ଚିତ୍ରାଙ୍କନ ଓ ଡ୍ୟାନ୍ସ ପ୍ରତିଯୋଗିତା ପୂର୍ବାହ୍ନ ୮ ରୁ ୧୧ ଘଟିକା ମଧ୍ୟରେ ଆୟୋଜିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣ ପାତ୍ର ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ କୁମାରସେନ ସେନାପତି, ଶିକ୍ଷକ କବି ପଦ୍ମଜା ଶରଣ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଅଙ୍ଗନୱାଡି କର୍ମୀ, ସୁରକ୍ଷା ଅଧିକାରୀ, ସି.ଡି.ପି.ଓ, କିଶୋରୀ ବାଳିକା, ମହିଳା ସଶକ୍ତିକରଣ ପାଇଁ ଜିଲ୍ଲା ହବ୍, ୱାନ୍ ଷ୍ଟପ୍ ସେଣ୍ଟର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking