19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି: ଫାରୁକ୍ ଅବଦୁଲ୍ଲା

ଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି: ଫାରୁକ୍ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସମ୍ପ୍ରତି ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣା ପ୍ରସଙ୍ଗରେ ଶାସକ ଦଳ ନ୍ୟାସନାଲ କନଫରେନ୍ସ (ଏନ୍‌ସି) ପ୍ରମୁଖ ଫାରୁକ୍ ଅବଦ୍ଦୁଲ୍ଲା ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବାନୁସାରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି ରହିଛି। ଏହା ଏକ ବଡ଼ ଧରଣର ଷଡଯନ୍ତ୍ର। ପ୍ରକାଶ, ଶୁକ୍ରବାର ଏଠାରେ ୨ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ ହୋଇଥିଲା। ଏସମ୍ପର୍କରେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଫାରୁକ୍ ଏପରି କହିଛନ୍ତି।

ଫାରୁକ୍‌ଙ୍କ କହିବାନୁସାରେ ଏପ୍ରକାର ଆକ୍ରମଣ ଦ୍ୱାରା ଜମ୍ମୁ କାଶ୍ମୀରରେ ଏକ କୃତ୍ରିମ ସଙ୍କଟ ସୃଷ୍ଟି କରିବାର ପ୍ରୟାସ କରାଯାଉଛି। କାଶ୍ମୀରକୁ ଅସ୍ଥିର ଦର୍ଶାଇବା ସେମାନଙ୍କର ଉଦ୍ଦେଶ୍ୟ। ସୁତରାଂ ଆକ୍ରମଣକାରୀଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେମାନଙ୍କୁ ଗିରଫ କରାଯିବା ଉଚିତ୍ ଯାହାଦ୍ୱାରା ଏହି ଆକ୍ରମଣ ପଛରେ ବାସ୍ତବରେ କିଏ ଅଛନ୍ତି ତାହା ଜଣାପଡିବ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ଆତଙ୍କବାଦୀ ଘଟଣା ବର୍ତ୍ତମାନ କାହିଁକି ଘଟୁଛି ଏବଂ ଏହା ପୂର୍ବରୁ କାହିଁକି କିଛି ଘଟୁନଥିଲା? ଜମ୍ମୁ କାଶ୍ମୀରରେ ନବଗଠିତ ସରକାରଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିବା ପାଇଁ, ସରକାରଙ୍କୁ ଅସ୍ଥିର କରିବା ପାଇଁ ଏସବୁ କରାଯାଉଛି। ତେବେ ଫାରୁକ୍ ଅବଦୁଲ୍ଲାଙ୍କ ଏହି ବିବୃତି ପରୋକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରତି ରହିଛି ବୋଲି କୁହାଯାଉଛି। ଯଦିଓ ସେ ସିଧାସଳଖ ଭାରତୀୟ କିମ୍ବା ପାକିସ୍ତାନୀ ଏଜେନ୍ସିର ନାମ ନେଇ ନାହାନ୍ତି। ତଥାପି ତାଙ୍କ ବିବୃତି ସୂଚାଇ ଦେଉଛି ଯେ ସେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। ବିରୋଧୀ ଦଳମାନେ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରୁଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ସେ କରିଛନ୍ତି।

ପ୍ରକାଶ, ଜମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ପ୍ରାନ୍ତରେ ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ଆତଙ୍କୀ ଆକ୍ରମଣ ହୋଇଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିବା ସହ ତଦନ୍ତ ଦାବି କରିଛନ୍ତି ଫାରୁକ। ଅନ୍ୟପକ୍ଷେ ଫାରୁକ୍ ଅବଦୁଲ୍ଲାଙ୍କର ଏଭଳି ଅଭିଯୋଗ ପରେ ଏହାକୁ ତୁରନ୍ତ ସମର୍ଥନ କରିଛନ୍ତି ଏନସିପି (ଏସ୍‌ସିପି) ମୁଖ୍ୟ ଶରଦ ପୱାର। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶରଦ ପୱାର କହିଛନ୍ତି, ‘ଫାରୁକ୍ ଅବଦୁଲ୍ଲା ଜମ୍ମୁ-କାଶ୍ମୀରର ଉଚ୍ଚତମ ବ୍ୟକ୍ତିତ୍ୱ। ସେ ପୂରା ଜୀବନ ଜମ୍ମୁ-କାଶ୍ମୀର ଲୋକଙ୍କ ସେବାରେ ବିତାଇଛନ୍ତି। ତାଙ୍କର ଦେଶଭକ୍ତି ଏବଂ ସଚ୍ଚୋଟତା ଉପରେ ତାଙ୍କର କୌଣସି ସନ୍ଦେହ ନାହିଁ। ଯଦି ଏତେ ବଡ଼ ନେତା ଏଭଳି କିଛି ବିବୃତ୍ତି ଦେଉଛନ୍ତି, ତେବେ କେନ୍ଦ୍ର ସରକାର, ବିଶେଷ କରି ଗୃହ ମନ୍ତ୍ରାଳୟ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବା ଉଚିତ୍‌।’

ତେବେ ଆତଙ୍କବାଦ ପ୍ରସଙ୍ଗରେ ଫାରୁକ ଅବଦୁଲ୍ଲାଙ୍କ ତଦନ୍ତ ଦାବିକୁ ନିନ୍ଦା କରିଛି ବିଜେପି। ଜମ୍ମୁ-କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରୈନା କହିଛନ୍ତି, ‘ଫାରୁକ୍ ଅବଦୁଲ୍ଲା ଜାଣନ୍ତି ଯେ ଜମ୍ମୁ-କାଶ୍ମୀରରେ ଘଟୁଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ଏବଂ ଆତଙ୍କବାଦ ସଂଗଠନଗୁଡ଼ିକ ସଂପୃକ୍ତ ଅଛନ୍ତି। ଏକଥା ସମସ୍ତେ ଜାଣନ୍ତି। ଏଥିରେ ତଦନ୍ତ କରିବାର କ’ଣ ଅଛି? ଆମ ସମସ୍ତଙ୍କୁ ଏକାଠି ହୋଇ ଏହା ବିରୋଧରେ ଲଢ଼ିବାକୁ ହେବ।’ ଅନ୍ୟପଟେ ଜଣେ ଦାୟିତ୍ୱବାନ ନେତା ଏପରି ବିବୃତ୍ତି ଦେବା ଉଚିତ୍ ନୁହେଁ ବୋଲି କହିଛନ୍ତି ବିଜେପି ନେତା କବିନ୍ଦର ଗୁପ୍ତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking