ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଲୋକୋ ପାଇଲଟଙ୍କ ସୁବିଧା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିବା ରେଳମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରଣାଳାୟ ପକ୍ଷରୁ କୁହାଯାଇଛି ଯେ ଲୋକୋ ପାଇଲଟମାନେ ରେଳ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି । ଗତ ୧୦ବର୍ଷ ମଧ୍ୟରେ ଲୋକୋମୋଟିଭ ପାଇଲଟଙ୍କ କାର୍ଯ୍ୟ ସ୍ଥିତିରେ ବଡ଼ଧରଣର ଉନ୍ନତି ଘଟିଛି । ପାଇଲଟମାନେ ଯେତେବେଳେ ଯାତ୍ରା ଶେଷ କରନ୍ତି, ସେମାନେ ମୁଖ୍ୟାଳୟରୁ ବାହାରେ ରହିଲେ ବିଶ୍ରାମ ପାଇଁ ରନିଙ୍ଗ ରୁମ୍କୁ ଆସନ୍ତି । ୨୦୧୪ ପୂର୍ବରୁ ବିଶ୍ରାମଗୃହ ବା ରନିଙ୍ଗ ରୁମଗୁଡ଼ିକ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା । ଆଜି ଚାଲୁଥିବା ବିଶ୍ରାମ କୋଠରୀଗୁଡ଼ିକରେ ଯଥେଷ୍ଟ ଉନ୍ନତି ଘଟିଛି । ପ୍ରାୟ ସମସ୍ତ (୫୫୮) ଚାଲୁଥିବା ରନିଙ୍ଗ ରୁମ୍ରେ ଏବେ ଏସି ବ୍ୟବସ୍ଥା ହୋଇଛି । ଅନେକ ବିଶ୍ରାମ କୋଠରୀରେ ପାଦ ମସାଜର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଲୋକୋ ପାଇଲଟଙ୍କ କାର୍ଯ୍ୟ ଅବସ୍ଥାକୁ ନବୁଝି ସମାଜର କିଛି ବର୍ଗ ଏହାକୁ ସମାଲୋଚନା କରିଥିଲେ । ପାଇଲଟମାନେ ଲୋକୋ କ୍ୟାବ୍ରୁ ଲୋକୋମୋଟିଭ ଚଳାଇ ଥାନ୍ତି ।୨୦୧୪ ପୂର୍ବରୁ କ୍ୟାବ୍ଗୁଡ଼ିକ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା । ୨୦୧୪ ପରଠାରୁ ଏର୍ଗୋନୋମିକ ସିଟ ସହିତ କ୍ୟାବଗୁଡ଼ିକର ଉନ୍ନତିକରଣ କରାଯାଇଛି ଏବଂ ୭,୦୫୦ରୁ ଅଧିକ ଲୋକୋ କ୍ୟାବ୍ ଏୟାର କଣ୍ଡିସନ୍ ହୋଇଛି । ଏବେ ଏସି କ୍ୟାବ୍ ସହିତ ନୂତନ ଇଞ୍ଜିନ ନିର୍ମାଣ କରାଯାଉଛି । ୮୧୫ ଲୋକୋ କ୍ୟାବରେ ୱାଶ ରୁମ ବ୍ୟବସ୍ଥା କରାଯାଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଲୋକୋପାଇଲଟଙ୍କ ଡ୍ୟୁଟି ସମୟକୁ ସତର୍କତାର ସହ ତଦାରଖ କରାଯାଉଛି । ଯାତ୍ରା ପରେ ବିଶ୍ରାମ ଦିଆଯାଉଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଡ୍ୟୁଟି ସମୟ ବଜାୟ ରଖାଯାଇଛି । ଚଳିତ ବର୍ଷ ଜୁନ୍ ମାସରେ ହାରାହାରି ଡ୍ୟୁଟି ଅବଧି ୮ଘଣ୍ଟାରୁ କମ୍ ରହିଛି । କେବଳ ଜରୁରୀ କାଳୀନ ପରିସ୍ଥିତିରେ, ଯାତ୍ରା ଅବଧି ନିର୍ଦ୍ଧାରିତ ସମୟଠାରୁ ଅଧିକ ଅଛି । ଗତ କିଛି ବର୍ଷ ମଧ୍ୟରେ ପ୍ରମୁଖ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି ଏବଂ ୩୪,୪୦୦ ରେଳ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ୧୮,୦୦୦ କର୍ମଚାରୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ମିଥ୍ୟା ଖବର ଦେଇ ରେଳ ପରିବାରକୁ ନିରାଶ କରିବାକୁ ଉଦ୍ୟମ ବିଫଳ ହେବ । ସମଗ୍ର ରେଳ ପରିବାର ଦେଶର ସେବାରେ ଏକାଠି ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।










