ନୂଆଦିଲ୍ଲୀ: “ଶିଶୁ ମୃତ୍ୟୁହାର ରୋକିବା ତଥା ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଭାରତର ପ୍ରଗତି ବେଶ୍ ଉଲ୍ଲେଖନୀୟ। ସେହିପରି ଭାରତରେ କାର୍ଯ୍ୟକାରୀ ହେଉଥିବା ଆୟୁଷ୍ମାନ ଭାରତ’ ଯୋଜନା ବେଶ୍ ପ୍ରଶଂସନୀୟ।” ଏମିତି କିଛି ବିବୃତି ଦେବା ପୂର୍ବକ ଭାରତ ଏବଂ ଭାରତ ସରକାରଙ୍କୁ ପ୍ରଶଂସା କରିଛି ମିଳିତ ଜାତିସଂଘ। ଜାତିସଂଘ ଦର୍ଶାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ସୁସ୍ଥ ଭାରତ ମିଶନ’ ଅଧୀନରେ ଦେଶବ୍ୟାପୀ ଚାଲିଥିବା ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଭାରତରେ ବ୍ୟାପକ ପରିବର୍ତ୍ତନ ଆଣିଛି। ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ଭାରତ ବହୁମାତ୍ରାରେ ସଫଳ ହୋଇଛି। ଭାରତ ସରକାରଙ୍କ ବିସ୍ତାରିତ ଟୀକାକରଣ ଏବଂ ମାତୃ ଏବଂ ନବଜାତ ସ୍ୱାସ୍ଥ୍ୟ ଆର୍ôଥକ ମଡେଲ ଅନ୍ତର୍ଗତ ନବଜାତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯାହାକି ଗର୍ଭ ଧାରଣ ଠାରୁ ଆରମ୍ଭ କରି ପିଲାର ଶୈଶବ ସମୟ ପର୍ଯ୍ୟନ୍ତ (ଘରୁ ହସ୍ପିଟାଲ ପର୍ଯ୍ୟନ୍ତ) ନିରନ୍ତର ଯତ୍ନ ପ୍ରଦାନ କରିଥାଏ, ଭଳି ପଦକ୍ଷେପ ଯୋଗୁ ଏସବୁ ସମ୍ଭବ ହୋଇପାରିଛି। ଏକ କାର୍ଯ୍ୟକ୍ରମ ସମୟରେ, ‘ଆୟୁଷ୍ମାନ ଭାରତ’ ଭଳି ସ୍ୱାସ୍ଥ୍ୟ ପଦକ୍ଷେପର ଉଦାହରଣ ଦେଇ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ଭାରତର ପ୍ରୟାସ ଏବଂ ପ୍ରଗତିକୁ ଜାତିସଂଘ ପ୍ରଶଂସା କରିଛି ଏବଂ ଏହାକୁ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ‘ଉଦାହରଣ’ ବୋଲି ମଧ୍ୟ କହିଛି। ସିଧାସଳଖ କହିଲେ ଆୟୁଷ୍ମାନ ଭାରତ’କୁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଭାବରେ ବର୍ଣ୍ଣନା କରିଛି ଜାତିସଂଘ।
ଜାତିସଂଘ ରିପୋର୍ଟ ଅନୁସାରେ, ଭାରତ ଏହାର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରଣନୈତିକ ନିବେଶ ମାଧ୍ୟମରେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସୁସ୍ଥ ଜୀବନର ପଥ ପ୍ରଶସ୍ତ କରିଛି। ୨୦୦୦ ପର ଠାରୁ, ଭାରତ ୫ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁହାରରେ ୭୦% ହ୍ରାସ ଏବଂ ନବଜାତ ମୃତ୍ୟୁହାରରେ ୬୧% ହ୍ରାସ ହାସଲ କରିଛି। ଭାରତ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କଭରେଜ୍ ବୃଦ୍ଧି, ବିଦ୍ୟମାନ ପରିସ୍ଥିତିରେ ଉନ୍ନତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ମାନବ ସମ୍ବଳ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି। ଆୟୁଷ୍ମାନ ଭାରତର ଉଦାହରଣ ଦେଇ ଏହା କୁହାଯାଇଛି। ପ୍ରକାଶ, ଆୟୁଷ୍ମାନ ଭାରତ ଯୋଜନା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା, ଯାହା ପ୍ରତି ପରିବାର ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଯାଏ କଭରେଜ ପ୍ରଦାନ କରିଥାଏ। ଜାତିସଂଘ ଏହାର ରିପୋର୍ଟରେ ଭାରତରେ ସ୍ୱାସ୍ଥ୍ୟ ପ୍ରତି ନିଆଯାଇଥିବା ପଦକ୍ଷେପରୁ ଅନ୍ୟ ଦେଶମାନେ ଶିଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି।
ଜାତିସଂଘ ପକ୍ଷରୁ ପ୍ରସ୍ତୁତ ଶିଶୁ ମୃତ୍ୟୁହାର ମୂଲ୍ୟାଙ୍କନଜନିତ ରିପୋର୍ଟରେ ଭାରତ, ନେପାଳ, ସେନେଗାଲ, ଘାନା ଏବଂ ବୁରୁଣ୍ଡି ଆଦି ଦେଶର ଉଦାହରଣ ଦିଆଯାଇଛି। ଏହି ଦେଶଗୁଡ଼ିକ ନିଜ ନିଜ ଦେଶରେ ଶିଶୁ ମୃତ୍ୟୁହାର ରୋକିବାରେ ହୋଇଥିବା ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ରଣନୀତି ଉପରେ ଆଲୋକପାତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ଦେଶଗୁଡ଼ିକ ଦର୍ଶାଇଛନ୍ତି ଯେ ‘ରାଜନୈତିକ ଇଚ୍ଛାଶକ୍ତି, ପ୍ରମାଣ-ଆଧାରିତ ରଣନୀତି ଏବଂ ନିରନ୍ତର ନିବେଶ ମୃତ୍ୟୁହାରକୁ ଯଥେଷ୍ଟ ପରିମାଣରେ ହ୍ରାସ କରିପାରିବ।