29.1 C
Bhubaneswar
Monday, January 19, 2026
Homeଓଡିଶାଟାଟା ଷ୍ଟିଲ୍ କଳିଙ୍ଗନଗରରେ କାର୍ଯ୍ୟକ୍ଷମ ହେଲା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌

ଟାଟା ଷ୍ଟିଲ୍ କଳିଙ୍ଗନଗରରେ କାର୍ଯ୍ୟକ୍ଷମ ହେଲା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌

– ୨୭ ହଜାର କୋଟି ଟଙ୍କା ବିନିଯୋଗରେ କଳିଙ୍ଗନଗରରେ ଅଶୋଧିତ ଇସ୍ପାତ କ୍ଷମତା ୩ ଏମଟିପିଏ ରୁ ୮ଏମଟିପିଏ କୁ ବୃଦ୍ଧି ପାଇବ

ଯାଜପୁର : ଟାଟା ଷ୍ଟିଲ୍ ପକ୍ଷରୁ ଆଜି କଳିଙ୍ଗନଗର କାରଖାନାରେ ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଯାଇଛି। ସମୁଦାୟ ୨୭,୦୦୦କୋଟି ଟଙ୍କା ବିନିଯୋଗରେ କଳିଙ୍ଗନଗରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଏହି କାରଖାନାର ବାର୍ଷିକ ଇସ୍ପାତ ଉତ୍ପାଦନ କ୍ଷମତା ୩ ନିୟୁତ ଟନ୍ ରୁ ୮ ନିୟୁତ ଟନ୍ କୁ ବୃଦ୍ଧି ପାଇବ। ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍ କୁ ଉଦଘାଟନ କରିଥିଲେ।

ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍ କାରଖାନାର ସାମଗ୍ରିକ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ, ଯାହା ଦ୍ୱାରା ଟାଟା ଷ୍ଟିଲ ଯାନବାହନ ନିର୍ମାଣ, ଭିତ୍ତିଭୂମି ବିକାଶ, ଶକ୍ତି କ୍ଷେତ୍ର, ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ ଶିଳ୍ପର ବଢୁଥିବା ଇସ୍ପାତ ଚାହିଦା କୁ ପୂରଣ କରିପାରିବ। ତୈଳ ଓ ଗ୍ୟାସ, ଉତ୍ତୋଳନ ଓ ଖନନ ଏବଂ ନିର୍ମାଣ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ମଧ୍ୟ ଏହା ବହୁତ ସହାୟକ ହେବ। ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସହିତ ଓଡ଼ିଶା, ଟାଟା ଷ୍ଟିଲ୍ ପାଇଁ ଏକକ ବୃହତ୍ତମ ପୁଞ୍ଜିନିବେଶ ସ୍ଥଳ ଭାବେ ଉଭା ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଟାଟା ଷ୍ଟିଲ୍ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଛି।

ଏହି ଅବସରରେ ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଭି ନରେନ୍ଦ୍ରନ କହିଛନ୍ତି ଯେ, କଳିଙ୍ଗନଗରରେ ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ ହେବା ଇସ୍ପାତ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଏହା ଦକ୍ଷତା, ପ୍ରଯୁକ୍ତି ବିଦ୍ୟା ଏବଂ ଦୀର୍ଘସ୍ଥାୟୀତା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ସମ୍ପ୍ରସାରଣ ଟାଟା ଷ୍ଟିଲର ଉଚ୍ଚସ୍ତରୀୟ, ମୂଲ୍ୟ ଯୁକ୍ତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥିତିକୁ ସୁଦୃଢ଼ କରିବା ସହିତ ଆମର ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା ମଧ୍ୟ ପ୍ରଦର୍ଶନ କରୁଛି। ଏହା ଭାରତରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଆତ୍ମନିର୍ଭରଶୀଳତା ଏବଂ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ପାଇଁ ଦେଶର ଦୂର ଦ୍ରୁଷ୍ଟି କୁ ପ୍ରତିପାଦନ କରୁଛି। ଟାଟା ଷ୍ଟିଲ ତରଫରୁ ମୁଁ ଓଡ଼ିଶା ସରକାରଙ୍କୁ ତାଙ୍କର ଅତୁଟ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ହାସଲ କରିବାରେ ଆମର କର୍ମଚାରୀ, ଯୋଗାଣକାରୀ ଏବଂ ଭେଣ୍ଡର ପାର୍ଟନର ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସକୁ ପ୍ରଶଂସା କରୁଛି ।

ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍ ର କ୍ଷମତା ୫,୮୭୦ ଏମ ୩ ଘନମିଟର। ଏହି ନୂଆ ବ୍ଲାଷ୍ଟ ଫର୍ଣ୍ଣେସ୍ ର ଦୀର୍ଘସ୍ଥାୟୀତା ପାଇଁ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଓ ଟେକ୍ନୋଲୋଜି ରହିଛି। ଇସ୍ପାତ ନିର୍ମାଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏଥିରେ ଅଧିକ ପରିବେଶ ଅନୁକୂଳ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହି ବ୍ଲାଷ୍ଟ ଫର୍ଣ୍ଣେସ୍ ରେ ୪ଟି ଶୀର୍ଷ ଦହନ ଚୁଲା ବ୍ୟବହାର କରାଯିବ, ଯାହା କି ଭାରତରେ ପ୍ରଥମ। ଗରମ ଧାତୁ ଉତ୍ପାଦନରେ ସର୍ବୋତ୍ତମ ନିର୍ଦ୍ଦିଷ୍ଟ ଇନ୍ଧନ ଖର୍ଚ୍ଚ ପାଇଁ ଏଥିରେ ଦୁଇଟି ପ୍ରିହିଟିଂ ଷ୍ଟୋଭ ମଧ୍ୟ ରହିବ। ଟାଟା ଷ୍ଟିଲରେ ପ୍ରଥମ ଥର ପାଇଁ ବାୟୋ ପ୍ରୋଡକ୍ଟ ଗ୍ୟାସରୁ ଶକ୍ତି ପୁନରୁଦ୍ଧାର ପାଇଁ ଏକ ଡ୍ରାଏ ଗ୍ୟାସ ସଫେଇ କାରଖାନା ସ୍ଥାପନ କରାଯାଇଛି। ୩୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ବିଶିଷ୍ଟ ବିଶ୍ୱର ସର୍ବବୃହତ ଟପ୍ ଗ୍ୟାସ୍ ରିକଭରି ଟର୍ବାଇନ୍ (ଟିଆରଟି) ଅତିରିକ୍ତ ୧୦% ଶକ୍ତି ପୁନରୁଦ୍ଧାରରେ ସାହାଯ୍ୟ କରିବ। ଭାରତର କୌଣସି ବ୍ଲାଷ୍ଟ ଫର୍ଣ୍ଣେସରେ ପ୍ରଥମ ଥର ପାଇଁ ବାଷ୍ପୀୟ କୁଲିଂ ସିଷ୍ଟମର ପ୍ରୟୋଗ କରାଯାଇଛି। ଏହା ପାରମ୍ପରିକ ଡିଜାଇନ୍ ତୁଳନାରେ ନିର୍ଦ୍ଦିଷ୍ଟ ଜଳ ଏବଂ ଶକ୍ତି ବ୍ୟବହାରକୁ ପ୍ରାୟ ୨୦% ହ୍ରାସ କରିବା ସହିତ ସ୍ପେସ୍ ଫୁଟପ୍ରିଣ୍ଟକୁ ଅପ୍ଟିମାଇଜ୍ କରିଥାଏ। ବ୍ଲାଷ୍ଟ ଫର୍ଣ୍ଣେସରେ ବର୍ଷା ଜଳ ସଂରକ୍ଷଣ ସହିତ ଶୂନ୍ୟ ପ୍ରକ୍ରିୟା ଗତ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ ରହିବ।

କଳିଙ୍ଗନଗରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଏକ ପେଲେଟ୍ ପ୍ଲାଣ୍ଟ, କୋକ୍ ପ୍ଲାଣ୍ଟ ଏବଂ କୋଲ୍ଡ ରୋଲିଂ ମିଲ୍ ମଧ୍ୟ ରହିଛି, ଯେଉଁଥିରେ ଉନ୍ନତ ଜ୍ଞାନକୌଶଳ ଏବଂ ଦୀର୍ଘସ୍ଥାୟୀ ଅନୁକୂଳ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ନୂତନ ଅତ୍ୟାଧୁନିକ ଇସ୍ପାତ କାରଖାନାରେ ଆଧୁନିକ ଜ୍ଞାନକୌଶଳ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁଥିରେ ମୂଲ୍ୟ ଯୁକ୍ତ ଉତ୍ପାଦ, ପରିଚାଳନା ଦକ୍ଷତା ଏବଂ କାର୍ବନ ଫୁଟପ୍ରିଣ୍ଟରେ ଉଲ୍ଲେଖନୀୟ ହ୍ରାସ ଉପରେ ଧ୍ୟାନ ଦିଆଯାଇଛି ।

କଳିଙ୍ଗନଗର କାରଖାନା କେବଳ ଏକ ଶିଳ୍ପ କମ୍ପେ୍ଲକ୍ସ ନୁହେଁ; ଏହା ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଟାଟା ଷ୍ଟିଲ ସାମାଜିକ ବିକାଶ କାର୍ଯ୍ୟକ୍ରମରେ ପୁଞ୍ଜିନିବେଶ କରିଆସୁଛି ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବିକା ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି, ଯାହା ଦ୍ୱାରା ଆଖପାଖ ଅଞ୍ଚଳର ୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇ ପାରିଛନ୍ତି। ଟାଟା ଷ୍ଟିଲ କଳିଙ୍ଗନଗରର ସଫଳତା ମଧ୍ୟ ଏହାର କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଭାବରେ ଜଡ଼ିତ। ଟାଟା ଷ୍ଟିଲର ‘ସେଫ୍ଟି ଫାର୍ଷ୍ଟ’ ସଂସ୍କୃତି ଦ୍ୱାରା ଏହାର ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡ ସୁନିଶ୍ଚିତ ହୋଇ ପାରିଛି ଏବଂ କଳିଙ୍ଗନଗର ଦେଶ ତଥା ବିଶ୍ୱର ଅନ୍ୟତମ ସୁରକ୍ଷିତ ଇସ୍ପାତ ଉତ୍ପାଦନ କାରଖାନାରେ ପରିଣତ ହୋଇପାରିଛି।

ଟାଟା ଷ୍ଟିଲ କଳିଙ୍ଗନଗର ହେଉଛି ପ୍ରଥମ ଭାରତୀୟ କାରଖାନା ଯାହାକୁ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌) ଦ୍ୱାରା ଗ୍ଲୋବାଲ ଲାଇଟ୍ ହାଉସ୍ ନାମରେ ନାମିତ କରାଯାଇଛି । ୨୦୨୪ମସିହାରେ କଳିଙ୍ଗନଗର କାରଖାନାକୁ ସମ୍ମାନଜନକ ରେସପନ୍ସିବଲ ଷ୍ଟିଲ ସାର୍ଟିଫିକେଟ୍ ମିଳିଥିଲା, ଯାହା ଏହାର ଦୀର୍ଘସ୍ଥାୟୀତା ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking