ଟରୋଣ୍ଟୋ: କାନାଡାର ଟରୋଣ୍ଟୋ ସହରରେ ଥିବା ସ୍କାରବୋରୋ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି। ମୃତ ଭାରତୀୟ ଛାତ୍ରଜଣକ ହେଲେ ଶିବାଙ୍କ ଅବସ୍ଥି (୨୦)। ପୁଲିସ୍ ରିପୋର୍ଟ ଅନୁସାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ କିଛି ଦୁର୍ବୃତ୍ତ ବିଶ୍ୱବିଦ୍ୟାଳୟ ପରିସରକୁ ଛାତ୍ର ବେଶରେ ଆସିଥିଲେ ଏବଂ ଅକସ୍ମାତ୍ ଶିବାଙ୍କ ଅବସ୍ଥିଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ। କାନାଡା ପୁଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନେ ବିଶ୍ୱବିଦ୍ୟାଳୟର ଛାତ୍ର ଗୋଷ୍ଠୀଙ୍କ ମଧ୍ୟରୁ କେହି ହୋଇଥିବାର ସମସ୍ତ ଆଶଙ୍କାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖାରଜ କରିଦେଇଛନ୍ତି। ଏଭଳି କାଣ୍ଡ ବାହାର ସନ୍ଦିଗ୍ଧଙ୍କର ହିଁ ହୋଇଥାଇପାରେ ବୋଲି ବିଶ୍ୱବିଦ୍ୟାଳୟର ଜଣେ ମୁଖପାତ୍ର ଜୋର ଦେଇ ପୁଲିସ୍ ଟିମ୍କୁ କହିଛନ୍ତି। ମୁଖପାତ୍ର କହିଛନ୍ତି, ମୃତ ଶିବାଙ୍କ ଅବସ୍ଥି ବିଶ୍ୱବିଦ୍ୟାଳୟର ଜଣେ ସ୍କଲାର ଛାତ୍ର ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୋଗ ରୁଜୁ ହୋଇନାହିଁ। ତଥାପି ତାଙ୍କୁ କିଏ ଓ କାହିଁକି ଏପ୍ରକାର ହତ୍ୟା କରିଛି ସେନେଇ କୌଣସି କାରଣ ଜଣାପଡୁନାହିଁ। ତଥାପି ପୁଲିସ୍ ଟିମ୍ ପ୍ରୟାସ ଜାରି ରଖିଛନ୍ତି, ଖୁବ୍ଶୀଘ୍ର ଅପରାଧୀ ଗିରଫ ହେବେ।










