27.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ ଏଫ୍‌ବିଆଇ ନୂଆ ନିର୍ଦ୍ଦେଶକ

ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ ଏଫ୍‌ବିଆଇ ନୂଆ ନିର୍ଦ୍ଦେଶକ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ୪୪ ବର୍ଷୀୟ କାଶ ପଟେଲଙ୍କୁ ଟ୍ରମ୍ପ୍ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍‌ବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ଚୟନ କରିଛନ୍ତି। ଏହାପୂର୍ବରୁ କାଶ୍‌ଙ୍କୁ ୨୦୧୭ରେ ଗୁଇନ୍ଦାରେ ଗୃହ ସଂସଦୀୟ ଚୟନ କମିଟିର ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। କାଶ୍ ପଟେଲ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ଭାବେ ଜଣାଶୁଣା। ତେବେ କାଶ୍ ପଟେଲ୍‌ଙ୍କୁ ଏଫ୍‌ବିଆଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯିବା ସମ୍ପର୍କରେ ଶନିବାର ରାତିରେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଟ୍ରମ୍ପ୍ ଲେଖିଛନ୍ତି, “ମୁଁ ଗର୍ବର ସହ ଘୋଷଣା କରୁଛି ଯେ କଶ୍ୟପ ‘କାଶ’ ପଟେଲ ଫେଡେରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। କାଶ୍ ଜଣେ ବିଚକ୍ଷଣ ଓକିଲ, ଅନୁସନ୍ଧାନକାରୀ ଏବଂ ‘ଆମେରିକା ଫାଷ୍ଟ୍‌’ ଯୋଦ୍ଧା, ଯିଏ ଦୁର୍ନୀତିର ପର୍ଦ୍ଦାଫାସ କରିବା, ନ୍ୟାୟ ରକ୍ଷା କରିବା ଏବଂ ଆମେରିକାର ଲୋକଙ୍କୁ ସୁରକ୍ଷା ଦେବାରେ ତାଙ୍କ କ୍ୟାରିୟର ଅତିବାହିତ କରିଛନ୍ତି। ତାଙ୍କ ନେତୃତ୍ୱରେ ଆଗାମୀ ଦିନରେ ଏଫ୍‌ବିଆଇ ଆହୁରି ବେଶ୍ ଭଲ କାମ କରିବ ଏବଂ ଅପରାଧ ହାର ହ୍ରାସ କରିବା ଏବଂ ଅପରାଧିକ ଗ୍ୟାଙ୍ଗକୁ ବିଲୋପ କରିବାର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିବ ବୋଲି ଟ୍ରମ୍ପ୍ ଉଲ୍ଲେଖ କରିଛନ୍ତି। କାଶ୍ ଏବେ ଆଟର୍ଣ୍ଣି ଜେନେରାଲ ପାମ୍ ବୋଣ୍ଡିଙ୍କ ଅଧୀନରେ କାର୍ଯ୍ୟ କରିବେ।

ପ୍ରକାଶ, ନ୍ୟୁୟର୍କ ଜନ୍ମିତ କାଶ୍ ପଟେଲ୍ ମୁଖ୍ୟତଃ ଗୁଜରାଟର ମୂଳ ବାସିନ୍ଦା। ତାଙ୍କ ମା’ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆର ଏବଂ ତାଙ୍କ ପିତା କାନାଡା ଏବଂ ପରେ ଉଗାଣ୍ଡାରୁ ଆମେରିକା ଆସିଥିଲେ। ସେ ୧୯୭୦ରେ କାନାଡାରୁ ଆମେରିକା ଆସିଥିଲେ। ଆଇନ ଅଧ୍ୟୟନ କରୁଥିବା କାଶ୍ ପଟେଲ ନିଜେ ଏକ ସାକ୍ଷାତକାରରେ ନିଜ ଗୁଜରାଟୀ ହେବାର ପରିଚୟ ବିଷୟରେ ଗର୍ବର ସହିତ କହିଥିଲେ। ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ମନ୍ତବ୍ୟ ଦେଇ କାଶ୍ ପଟେଲ ମଧ୍ୟ ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ବିଦେଶୀ ଗଣମାଧ୍ୟମ ଅଯୋଧ୍ୟାର ୫୦ ବର୍ଷ ବିଷୟରେ କହୁଛନ୍ତି କିନ୍ତୁ ରାମ ମନ୍ଦିରର ୫୦୦ ବର୍ଷରୁ ଅଧିକ ପୁରୁଣା ଇତିହାସକୁ ଭୁଲିଯାଉଛନ୍ତି। ରାମ ମନ୍ଦିର ନିର୍ମାଣକୁ ନେଇ ସମାଲୋଚନା କରୁଥିବା ସମାଲୋଚକମାନଙ୍କୁ କାଶ୍ ତୀବ୍ର ସମାଲୋଚନା କରିବା ସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସେ ସମର୍ଥନ କରିଥିଲେ।

ଏସବୁ ମଧ୍ୟରେ ଟ୍ରମ୍ପ୍ ସରକାରଙ୍କ ପକ୍ଷରୁ ଭାରତ ପାଇଁ ଏକ ବଡ଼ ଅପ୍ରୀତିକର ସମ୍ବାଦ ସାମ୍ନାକୁ ଆସିଛି। ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ହିଁ ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଖୋଲା ଧମକ ଦେଇଛନ୍ତି। ରିପୋର୍ଟ ଅନୁସାରେ ଭାରତ ଉପରେ ୧୦୦% ଟିକସ ଲାଗୁ କରିବା ନେଇ ଟ୍ରମ୍ପ୍ ଧମକ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଏପ୍ରକାର ଧମକକୁ ନେଇ ଭାରତର ଚିନ୍ତା ବଢ଼ି ଯାଇଛି। ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇଥିବା ଦେଶକୁ ଧମକ ଦେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ। ଶନିବାର ନିଜ ସୋଶାଲ ମିଡିଆ ଟ୍ରୁଥ୍‌’ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ୍ ଏହି ଧମକ ଦେଇଛନ୍ତି। ପ୍ରକାଶ ଭାରତ ମଧ୍ୟ ବ୍ରିକ୍ସ ସଂଗଠନର ଅନ୍ୟତମ ସଦସ୍ୟ ରାଷ୍ଟ୍ର ରହିଛି। ବ୍ରିକ୍ସର କିଛି ସଦସ୍ୟ ଦେଶ, ବିଶେଷତଃ ରୁଷଊ ଏବଂ ଚୀନ୍‌, ଆମେରିକୀୟ ଡଲାରର ବିକଳ୍ପ ଖୋଜୁଥିଲେ କିମ୍ବା ନିଜର ବ୍ରିକ୍ସ ମୁଦ୍ରା ସୃଷ୍ଟି କରିଥିଲେ। ଭାରତ ଏପର୍ଯ୍ୟନ୍ତ ଏହି ପଦକ୍ଷେପର ଅଂଶ ହୋଇନାହିଁ। ୨୦୦୯ରେ ଗଠିତ ବ୍ରିକ୍ସ ହେଉଛି ଏକମାତ୍ର ପ୍ରମୁଖ ଅନ୍ତର୍ଜାତୀୟ ଗୋଷ୍ଠୀ ଯେଉଁଥିରେ ଆମେରିକା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking