24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାମ କରୁଛି ଭାରତ: ପ୍ରଧାନମନ୍ତ୍ରୀ

ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାମ କରୁଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: “ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏହା ଏକ ବହୁତ ବଡ଼ ଉପଲବ୍ଧି ।” ଶନିବାର ଦିଲ୍ଲୀରେ ଅନୁଷ୍ଠିତ ୩୨ତମ ଆନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରି ଏପରି କହିଛନ୍ତି । ମୋଦୀ କହିଛନ୍ତି, ବର୍ତ୍ତମାନ ସମୟରେ ଦେଶର କୃଷକଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ କୃଷି କ୍ଷେତ୍ରକୁ ମଜବୁତ୍ କରାଯାଉଛି । ଆଜି ଭାରତ କ୍ଷୀର, ଡାଲି ଓ ମସଲାର ସବୁଠୁ ବଡ ଉତ୍ପାଦକ ସାଜିଛି । ଦିନେ ସମୟ ଏଭଳି ଥିଲା ଯେତେବେଳେ ଭାରତର ଖାଦ୍ୟ ସୁରକ୍ଷା ଦୁନିଆର ଚିନ୍ତାର ବିଷୟ ଥିଲା । କିନ୍ତୁ ଏବେ ଭାରତ ସମଗ୍ର ବିଶ୍ୱକୁ ଖାଦ୍ୟ ସୁରକ୍ଷା, ବିଶ୍ୱ ପୋଷଣ ସୁରକ୍ଷାର ସମାଧାନ ଦେବାରେ ଲାଗିଛି ।
ବିଶ୍ୱର ବିଭିନ୍ନ ଦେଶରୁ ଏଠାକୁ ଆସିଥିବା ସମସ୍ତ ପ୍ରତିନିଧିଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ସେ ୧୨କୋଟି ଭାରତୀୟ କୃଷକ, ୩ କୋଟି ଭାରତୀୟ ମହିଳା କୃଷକ ଏବଂ ୩କୋଟି ମତ୍ସ୍ୟଜୀବୀଙ୍କ ପକ୍ଷରୁ ସ୍ୱାଗତ କରିଥିଲେ । ଖାଦ୍ୟ ଏବଂ କୃଷି ସମ୍ବନ୍ଧରେ ଆମର ପରମ୍ପରା ଏବଂ ଅଭିଜ୍ଞତା ଆମ ଦେଶ ଭଳି ପ୍ରାଚୀନ । ଭାରତରେ କୃଷି ପରମ୍ପରାରେ ବିଜ୍ଞାନକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ମଧ୍ୟ ମୋଦୀ କହିଥିଲେ । ମୋଦୀଙ୍କ କହିବାନୁସାରେ ଦୀର୍ଘ ୬୫ ବର୍ଷ ପରେ ଭାରତରେ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଉଛି, ଯାହାକୁ ଦେଖି ସେ ବହୁତ ଖୁସି ଅନୁଭବ କରୁଛନ୍ତି । ଦେଶ ସ୍ୱାଧୀନ ହେବା ପରେ ମାତ୍ର ଥରେ ଏପ୍ରକାର କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା । ତତ୍‌ପରଠାରୁ ଆଉ କେବେ ବି ଏପ୍ରକାର ସମ୍ମିଳନୀର ଆୟୋଜନ କରାଯାଇନଥିଲା । ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking