ନୂଆଦିଲ୍ଳୀ: ଭାରତ ନିଜର ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢୁଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତ ଏବେ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍ (ସୁଇସାଇଡ୍ ଡ୍ରୋନ୍) ନିର୍ମାଣ କରିବାକୁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । ଏହି ଡ୍ରୋନ୍ର ମାରକ ଅର୍ଥାତ୍ ଆକ୍ରମଣ କ୍ଷମତା ୯୦୦ କିମିରୁ ଅଧିକ ରହିବ । ଭାରତୀୟ ସେନା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଗ୍ରହୀ କମ୍ପାନୀମାନଙ୍କଠାରୁ ଏସମ୍ପର୍କରେ ଅଧିକ ସୂଚନା ଆହ୍ୱାନ କରାଯାଇଛି । ଯାହାପରେ ଦେଶର ଅନେକ ପ୍ରତିରକ୍ଷା କମ୍ପାନି ଏହି ଦୌଡ଼ରେ ସାମିଲ ହୋଇଛନ୍ତି । ରିପୋର୍ଟ ଅନୁସାରେ ଏହି ପ୍ରତିଯୋଗିତାରେ ସବୁଠାରୁ ଆଗରେ ରହିଛି ସ୍ୱଦେଶୀ “ପିନାକ୍’ ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ ନିର୍ମାଣ କରିଥିବା କମ୍ପାନୀ । ନାଗପୁର ସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ୍ ଏବଂ ଏହାର ସହାୟକ କମ୍ପାନି ଇକୋନୋମିକ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍ ଏହି ପ୍ରକଳ୍ପ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରିଛନ୍ତି । ଏହି କମ୍ପାନିଗୁଡ଼ିକ ପୂର୍ବରୁ ପିନାକା ଭଳି ସଫଳ ପ୍ରକଳ୍ପରେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ପ୍ରକାଶ, ଏହି ଆତ୍ମଘାତୀ ଡ୍ରୋନ୍କୁ ‘ଲୋଇଟରିଂ ମ୍ୟୁନିସନ୍\’ ମଧ୍ୟ କୁହାଯାଏ । ଏହା ଏକାଧାରରେ ଡ୍ରୋନ୍ ଓ ମିସାଇଲର କାମ କରିଥାଏ ।










