ନୂଆଦିଲ୍ଲୀ: ଆତଙ୍କବାଦ ହେଉ କିମ୍ବା ଅନ୍ୟ ଯେକୌଣସି ପ୍ରସଙ୍ଗ, ସବୁକ୍ଷେତ୍ରରେ ପାକିସ୍ତାନକୁ ସମର୍ଥନ କରିଆସୁଥିବା ତୁର୍କୀକୁ ଏକ କଡ଼ା ବାର୍ତ୍ତା ଦେଇଛି ଭାରତ । କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧର ଜୈଶୱାଲ୍ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଯେ, ତୁର୍କୀ ପାକିସ୍ତାନକୁ ସମର୍ଥନ କରିବା ଆଳରେ ସର୍ବପ୍ରଥମେ ଗୋଟିଏ କଥା ଭଲଭାବେ ବୁଝାଇବା ଉଚିତ୍ । ତୁର୍କୀ ପାକିସ୍ତାନକୁ ଆତଙ୍କବାଦ ପ୍ରତି ସମର୍ଥନ କରିବା ବନ୍ଦ କରୁ ବୋଲି ବୁଝାଇବା ଉଚିତ୍ । ଭାରତ ଆଶା କରୁଛି ଯେ ତୁର୍କୀ ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ଏବଂ ଆତଙ୍କବାଦୀ ଯନ୍ତ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଭାବରେ ଅନୁରୋଧ କରିବ । ଏହା ତୁର୍କୀ ପାଇଁ ମଧ୍ୟ ମଙ୍ଗଳକାରୀ ହେବ ।
ଜୈଶୱାଲ୍ଙ୍କ କହିବାନୁସାରେ ତୁର୍କୀ ପାକିସ୍ତାନର ଅନ୍ୟତମ ବନ୍ଧୁ ରାଷ୍ଟ୍ର ଭାବେ ଯଦି ପାକିସ୍ତାନର ଭଲ ଚାହୁଁଥାଏ ତେବେ ଏହାକୁ ଆଗକୁ ଆସିବାକୁ ପଡ଼ିବ । ତୁର୍କୀ ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିବାକୁ ଏବଂ ଦଶନ୍ଧି ଧରି ପୋଷଣ କରିଆସୁଥିବା ଆତଙ୍କବାଦୀ ଇକୋସିଷ୍ଟମ ବିରୁଦ୍ଧରେ ବିଶ୍ୱସନୀୟ ଏବଂ ଯାଞ୍ଚଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଭାବରେ ଅନୁରୋଧ କରିବା ଉଚିତ୍ । ପରସ୍ପରର ଚିନ୍ତା ପ୍ରତି ସମ୍ବେଦନଶୀଳତା ଉପରେ ସମ୍ପର୍କ ଗଢ଼ି ଉଠିଥାଏ ବୋଲି ଜୈଶୱାଲ୍ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଜୈଶୱାଲ୍ ପୁନଃ ଦୋହରାଇଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ସମୟରେ ଚାଲିଥିବା ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷର ଭୂମିକା ନଥିଲା । ତାଙ୍କର ଏପ୍ରକାର ବିବୃତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦାବି ପ୍ରତି ଶକ୍ତ ଜବାବ ବୋଲି ବିବେଚନା କରାଯାଉଛି ।










