21.1 C
Bhubaneswar
Thursday, February 19, 2026
Homeଖେଳନେଦରଲାଣ୍ଡ୍‌ସକୁ ୧୭ ରନ୍‌ରେ ହରାଇଲା ଭାରତ

ନେଦରଲାଣ୍ଡ୍‌ସକୁ ୧୭ ରନ୍‌ରେ ହରାଇଲା ଭାରତ

ଅହମଦାବାଦ: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ବିଜୟ ଚୌକା ଲଗାଇଛି। ବୁଧବାର ନେଦରଲାଣ୍ଡ୍‌ସକୁ ୧୭ ରନ୍‌ରେ ହରାଇ ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଶିଭମ୍ ଦୁବେଙ୍କ ୩୧ ବଲ୍‌ରେ ୬୬ ରନ୍ ବଳରେ ଟିମ୍ ୫ ୱିକେଟ୍ ବିନିମୟରେ ୧୯୩ ରନ୍ କରିଥିଲା। ଜବାବରେ ନେଦରଲାଣ୍ଡ୍‌ସ ୭ ୱିକେଟ୍ ହରାଇ ୧୭୬ ରନ୍ ହିଁ କରିପାରିଥିଲା। ଏହି ବିଜୟ ସହିତ ନେଦରଲାଣ୍ଡ୍‌ସର ଟୁର୍ଣ୍ଣାମେଣ୍ଟ୍‌ରେ ଯାତ୍ରା ଶେଷ ହୋଇଛି। ଟିମ୍ ନାମ୍ବିୟା ବିପକ୍ଷରେ କେବଳ ଗୋଟିଏ ବିଜୟ ହାସଲ କରିଥିଲା।

୧୯୪ ରନ୍‌ର ପିଛା କରୁଥିବା ନେଦରଲାଣ୍ଡ୍‌ସର ଆରମ୍ଭ ଠିକ୍‌ଠାକ୍ ଥିଲା। ଟିମ୍‌କୁ ୩୫ ରନ୍‌ର ସ୍କୋର୍‌ରେ ପ୍ରଥମ ଝଟ୍‌କା ଲାଗିଥିଲା। ମାକ୍ସ ଓ’ଡାଉଡ୍ (୨୪)ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାଚ୍ ଆଉଟ୍ କରାଇଥିଲେ। ଏହାପରେ ଓପ୍ନର୍ ମାଇକେଲ୍ ଲେଭିଟ୍ (୨୦) ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଟିମ୍‌ର ସ୍କୋର୍ ୫୧/୨ ପରେ ବାସ୍ ଡି ଲିଡେ ଓ କଲିନ୍ ଆକରମାନ୍‌ଙ୍କ ମଧ୍ୟରେ ୪୯ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଆକରମାନ୍ (୧୫)ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଏହି ଯୋଡ଼ି ଭାଙ୍ଗିବା ପରେ ଆର‌୍ୟନ୍ ଦତ୍ତଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରାଇଥିଲେ। ବାସ୍ ଡି ଲିଡେ ସର୍ବାଧିକ ୩୩ ରନ୍ କରି ଶିଭମ୍ ଦୁବେଙ୍କ ଶିକାର ହୋଇଥିଲେ। କ୍ୟାପ୍‌ଟେନ୍ ସ୍କଟ୍ ଏଡ୍‌ୱାର୍ଲ୍ସ ୧୫ ରନ୍‌, ଜାଚ୍ ଲାଅନ୍‌-ଜାଚେଟ୍ ୨୬ ରନ୍ କରି ଆଉଟ୍ ହୋଇଥିବା ବେଳେ ନୋଆହ କ୍ରୋସ୍ ୨୫ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ଏବଂ ଶିଭମ୍ ଦୁବେ ଦୁଇଟି ୱିକେଟ୍ ନେଇଥିଲେ। ଜସ୍‌ପ୍ରୀତ୍ ବୁମ୍‌ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧-୧ ସଫଳତା ମିଳିଥିଲା।

ପ୍ରଥମେ ବ୍ୟାଟିଂ ନେଇଥିବା ଭାରତର ଆରମ୍ଭ ବହୁ ଖରାପ ଥିଲା। ଓପ୍ନର୍ ଅଭିଷେକ ଶର୍ମା ତୃତୀୟ ବଲ୍‌ରେ ହିଁ ଆର୍ଯ୍ୟନ୍ ଦତ୍ତଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ଈଶାନ୍ କିଶନ୍ ୭ ବଲ୍‌ରେ ୧୮ ରନ୍ କରି ବିଦାୟ ନେଇଥିଲେ। ଏହାପରେ ତିଳକ ବର୍ମା ଓ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ ଇନିଂସ୍ ସମ୍ଭାଳିଥିଲେ। ମାତ୍ର ଲୋଗାନ୍ ଭାନ୍ ବିକ୍‌ଙ୍କ ବଲ୍‌ରେ ରୋଏଲୋଫ୍ ଭାନ୍ ଡର୍ ମୱିର୍ ଏକ ଚମତ୍କାର ଡାଇଭିଂ କ୍ୟାଚ୍ ନେଇ ତିଳକ ବର୍ମାଙ୍କୁ ଆଉଟ୍ କରିଥିଲେ। ତିଳକ ୩୧ ରନ୍ କରି ବିଦାୟ ନେଇଥିଲେ। ଏହାପରେ ସୂର୍ଯ୍ୟକୁମାର ୨୮ ବଲ୍‌ରେ ୩୪ ରନ୍ କରି କାଇଲ୍ କ୍ଲେନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟାଙ୍କ ଆଉଟ୍ ବେଳକୁ ସ୍କୋର୍ ୧୦୧୦/୪ ହୋଇଥିଲା। ଏହାପରେ ଶିଭମ୍ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତିମ ଓଭର୍‌ରେ ଉନ୍ନତ ବ୍ୟାଟିଂ କରିଥିଲେ। କିନ୍ତୁ ଅନ୍ତିମ ଓଭର୍‌ରେ ଶିଭମ୍ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍ କରି ଲୋଗାନ୍ ଭାନ୍ ବିକ୍ ଭାରତକୁ ୧୯୩ ରନ୍‌ରେ ଅଟକାଇଥିଲେ। ଦୁବେ ୩୧ ବଲ୍‌ରେ ୪ ଚୌକା ଓ ୬ ଛକା ସହାୟତାରେ ୬୬ ଏବଂ ହାର୍ଦ୍ଦିକ ୨୧ ବଲ୍‌ରେ ୩ ଛକା ସହାୟତାରେ ୩୦ ରନ୍ କରିଥିଲେ। ଶିଭମ୍ ଦୁବେଙ୍କର ଏହା ପ୍ରଥମ ଅର୍ଦ୍ଧଶତକ ଥିଲା। ନେଦରଲାଣ୍ଡ୍‌ସ ପକ୍ଷରୁ ଲୋଗାନ୍ ଭାନ୍ ବିକ୍ ୩ଟି, ଆର୍ଯ୍ୟନ୍ ଦତ୍ତ ୨ଟି ଏବଂ କାଇଲ କ୍ଲେନ୍ ଗୋଟିଏ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking