ନୂଆଦିଲ୍ଲୀ: ଭାରତ ପକ୍ଷରୁ ଆଣ୍ଡାମାନ ସାଗରର ଏକ ର୍ନିଦ୍ଦିଷ୍ଟ ଅଞ୍ଚଳରେ ଆକାଶ ମାର୍ଗ (ଏୟାରସ୍ପେଶ୍) ବନ୍ଦ କରାଯିବା ଘୋଷଣା କରାଯିବା ପୂର୍ବକ ନୋଟାମ୍ ଜାରି କରିଛି । ଏହି ନୋଟାମ୍ ଆସନ୍ତା ୨୩ ଏବଂ ୨୪ ତାରିଖ ସକାଳ ଅର୍ଥାତ୍ ଶନିବାର ଏବଂ ରବିବାର ୭ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହି ଅଞ୍ଚଳଟି ପ୍ରାୟ ୫୦୦ କିଲୋମିଟର ଲମ୍ବା ଏବଂ ସମସ୍ତ ଉଚ୍ଚତା ସ୍ତରରେ ବେସାମରିକ ବିମାନ ପାଇଁ ସୀମିତ ।
ତେବେ ଭାରତ ଏବେ ଏଠାରେ ଏହି ଦୁଇ ଦିନ ପାଇଁ ଏୟାରସ୍ପେଶ୍ ବନ୍ଦ କରିବା ନେଇ ଘୋଷଣା କରିବା ପଛରେ ଏଠାରେ କ୍ଷେପଣାସ୍ତ୍ର କିମ୍ବା ଅସ୍ତ୍ର ପ୍ରଣାଳୀ ପରୀକ୍ଷଣ ହୋଇପାରେ ବୋଲି ଅନୁମାନ କରାଯାଉଛି । କାରଣ ବିଗତ କିଛି ବର୍ଷରେ, ଭାରତ ଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ସମୟରେ ଏୟାରମ୍ୟାନ୍ଙ୍କୁ ଏପ୍ରକାର ନୋଟାମ୍ ଜାରି କରାଯାଇଥିଲା । ପ୍ରକାଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଭାରତର ପ୍ରତିରକ୍ଷା ଗଠନରେ ଏକ ପ୍ରମୁଖ କ୍ଷେତ୍ର ହେବାକୁ ଯାଉଛି । ମାଲାକ୍କା ପ୍ରଣାଳୀର ମୁହାଣରେ ଅବସ୍ଥିତ, ଏହି ଦ୍ୱୀପପୁଞ୍ଜଗୁଡ଼ିକ ସାମୁଦ୍ରିକ ନିରୀକ୍ଷଣ ଏବଂ ସାମରିକ ଶକ୍ତିର ପ୍ରକ୍ଷେପଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ଏହି ଯୋଜନାବଦ୍ଧ ଅପରେଶନ ସମ୍ଭବତଃ ଭାରତର ପ୍ରତିରୋଧ କ୍ଷମତାକୁ ଆଧୁନିକୀକରଣ କରିବା ପାଇଁ ବ୍ୟାପକ ପ୍ରୟାସ ସହିତ ଜଡିତ । ବିଶେଷକରି ଆଞ୍ଚଳିକ ଉତ୍ତେଜନା ଏବଂ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମର୍ନିଭରଶୀଳତା ଦିଗରେ ଏହା ଏକ ବଡ଼ ପଦକ୍ଷେପ ମଧ୍ୟ ।