ନୂଆଦିଲ୍ଲୀ: ଆଜି ବଜେଟ୍ ଅଧିବେଶନ ୨୦୨୬ର ଦ୍ୱିତୀୟ ଦିନ । ଆଜି ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହେବ । ଏଥିରେ ସରକାରଙ୍କ ଖର୍ଚ୍ଚର ପ୍ରତ୍ୟେକ ପଇସାର ହିସାବ ଦିଆଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅର୍ଥନୌତିକ ସର୍ଭେ ଗୃହରେ ଉପସ୍ଥାପନ କରିବେ । ଏହି ସମୟରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ୍ ଅଧିବେଶନକୁ ନେଇ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଅଧିବେଶନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ରାଷ୍ଟ୍ରର ପ୍ରଗତି ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି। ଗତକାଲିର ରାଷ୍ଟ୍ରପତିଙ୍କ ଭାଷଣ ୧.୪ କୋଟି ନାଗରିକଙ୍କ ଆତ୍ମବିଶ୍ୱାସ ଏବଂ ଦୃଢ଼ତାର ଏକ ଶକ୍ତିଶାଳୀ ଅଭିବ୍ୟକ୍ତି ଥିଲା। ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ପଡିବ । ଭାରତ ବିଶ୍ୱ ପାଇଁ ଆଶାର କିରଣ । ଆତ୍ମବିଶ୍ୱାସ ପୂର୍ଣ୍ଣ ଭାରତ ବିଶ୍ୱରେ ଆଶା ଓ ଆକର୍ଷଣର କେନ୍ଦ୍ର ପାଲଟିଛି ।
ଭାରତ ଓ ଇୟୁ ମଧ୍ୟରେ ଏଫଟିଏ ହୋଇଛି । ୨୭ଟି ଦେଶରେ ଭାରତ ପାଇଁ ବଡ ବଜାର ଖୋଲିଛି, ସେଥିପାଇଁ “ମଦର ଅଫ ଅଲ ଡିଲ” ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଚୁକ୍ତି ଯୁବପିଢ଼ି ପାଇଁ ଉତ୍ତମ ସୁଯୋଗ ପ୍ରଦାନ କରିବ। ଦୀର୍ଘକାଳୀନ ସମସ୍ୟାଗୁଡ଼ିକ ଏବେ ଅତୀତର କଥା। ଆମ ସରକାରଙ୍କ ନିଷ୍ପତ୍ତିଗୁଡ଼ିକ ଜନହିତକର । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୧ ଶତାବ୍ଦୀର ଏକ ଚତୁର୍ଥାଂଶ ସମାପ୍ତ ହୋଇଛି ଏବଂ ଦ୍ୱିତୀୟ ତ୍ରୈମାସିକ ଏବେ ଆରମ୍ଭ ହେଉଛି । ଏହା ଏକ ନୂତନ ଯୁଗର ଆରମ୍ଭ । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଏହି ଶତାବ୍ଦୀର ଦ୍ୱିତୀୟ ତ୍ରୈମାସିକର ପ୍ରଥମ ବଜେଟ୍, ଯାହା ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।









