32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶକେନ୍ଦ୍ର ବଜେଟ ୨୦୨୪-୨୫ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର...

କେନ୍ଦ୍ର ବଜେଟ ୨୦୨୪-୨୫ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି ପାଇଁ କେନ୍ଦ୍ର ବଜେଟ ୨୦୨୪-୨୫ରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ତୈଳବୀଜ ପାଇଁ ‘ଆତ୍ମନିର୍ଭରତା’, ପନିପରିବା ଉତ୍ପାଦନ ପାଇଁ ବୃହତ୍ କ୍ଲଷ୍ଟର ଏବଂ ଚିଙ୍ଗୁଡ଼ି ବ୍ରୁଡଷ୍ଟକ୍ ପାଇଁ ନ୍ୟୁକ୍ଲିୟସ୍ ପ୍ରଜନନ କେନ୍ଦ୍ରର ନେଟୱାର୍କ ନିମନ୍ତେ ଆର୍ଥିକ ସହାୟତା ସମେତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି।  ପାଇଲଟ୍ ପ୍ରକଳ୍ପର ସଫଳତାରେ ଉତ୍ସାହିତ ହୋଇ ସରକାର ରାଜ୍ୟମାନଙ୍କ ସହ ଭାଗିଦାରୀରେ ୩ ବର୍ଷ ମଧ୍ୟରେ କୃଷକ ଏବଂ ସେମାନଙ୍କ ଜମିକୁ ଅନ୍ତର୍ଭୁକ୍ତ କରିବା ପାଇଁ କୃଷିକ୍ଷେତ୍ରରେ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) କାର୍ଯ୍ୟକାରୀ କରିବାରେ ସହାୟକ ହେବେ। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ଚଳିତ ବର୍ଷ ୪୦୦ଟି ଜିଲ୍ଲାରେ ଡିପିଆଇ ବ୍ୟବହାର କରି ଖରିଫ ପାଇଁ ଡିଜିଟାଲ ଫସଲ ସର୍ଭେ କରାଯିବ। ସେ କହିଛନ୍ତି ଯେ ୬ କୋଟି କୃଷକ ଏବଂ ସେମାନଙ୍କ ଜମିର ବିବରଣୀ କୃଷକ ଏବଂ ଜମି ପଞ୍ଜୀକରଣରେ ଅଣାଯିବ। ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ ୫ଟି ରାଜ୍ୟରେ ଜନ ସମର୍ଥ ଭିତ୍ତିକ କିଷାନ କ୍ରେଡିଟ୍ କାର୍ଡ ପ୍ରଚଳନ କରାଯିବ।
ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ ମିଶନ
ଡାଲି ଓ ତୈଳବୀଜରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ସରକାର ଏହାର ଉତ୍ପାଦନ, ସଂରକ୍ଷଣ ଓ ମାର୍କେଟିଂକୁ ସୁଦୃଢ଼ କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ଅନ୍ତରୀଣ ବଜେଟରେ ଘୋଷଣା କରାଯାଇଥିବା ସୋରିଷ, ଚିନାବାଦାମ, ରାଶି, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଭଳି ତୈଳବୀଜ ପାଇଁ ‘ଆତ୍ମନିର୍ଭରତା’ ହାସଲ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଉଛି।
ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା
ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରମୁଖ ଉପଭୋକ୍ତା କେନ୍ଦ୍ର ନିକଟରେ ପନିପରିବା ଉତ୍ପାଦନ ପାଇଁ ବ୍ୟାପକ କ୍ଲଷ୍ଟର ବିକଶିତ କରାଯିବ। ସେ କହିଥିଲେ ଯେ ସରକାର ସଂଗ୍ରହ, ସଂରକ୍ଷଣ ଏବଂ ବିପଣନ ସମେତ ପନିପରିବା ଯୋଗାଣ ଶୃଙ୍ଖଳା ପାଇଁ କୃଷକ-ଉତ୍ପାଦକ ସଂଗଠନ, ସମବାୟ ଏବଂ ଷ୍ଟାର୍ଟଅପ ଗୁଡ଼ିକୁ ପ୍ରୋତ୍ସାହିତ କରିବେ।
ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନି
ଚିଙ୍ଗୁଡ଼ି ବ୍ରୁଡଷ୍ଟକ୍ ପାଇଁ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟରର ନେଟୱାର୍କ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଚିଙ୍ଗୁଡ଼ି ଚାଷ, ପ୍ରକ୍ରିୟାକରଣ ଏବଂ ରପ୍ତାନି ପାଇଁ ନାବାର୍ଡ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ୯ଟି ଅଗ୍ରାଧିକାର କ୍ଷେତ୍ର ମଧ୍ୟରୁ କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ପ୍ରଥମ। ୨୦୨୪-୨୫ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ‘ଅନ୍ନଦାତା’ (କୃଷକ)କୁ ୪ଟି ପ୍ରମୁଖ ଜାତି ମଧ୍ୟରୁ ଅନ୍ୟତମ ବୋଲି ବର୍ଣ୍ଣନା କରି ମନ୍ତ୍ରୀ କହିଥିଲେ ଯେ ସରକାର ଏକ ମାସ ପୂର୍ବରୁ ସମସ୍ତ ପ୍ରମୁଖ ଫସଲ ପାଇଁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯାହା ଦ୍ୱାରା ୮୦ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking