26.1 C
Bhubaneswar
Monday, February 16, 2026
Homeଓଡିଶାସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଗରିବ ଓ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଆମର ପ୍ରାଥମିକତାରେ ରହିଛି । ଏହି ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା ୩ ଲକ୍ଷ ପରିବାର ତଥା ୧୫ ଲକ୍ଷ ଜନସାଧାରଣଙ୍କ ପାଖରେ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ତଥା ଜୀବନଜୀବିକା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର ସମ୍ବଲପୁର ଅଇଁଠାପାଲି ଠାରେ ଆୟୋଜିତ ସୁଭଦ୍ରା ଶକ୍ତି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା – ୨୦୨୬ର ଶୁଭ ଉଦଘାଟନ କରିବା ସହ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ସେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ମାଧ୍ୟମରେ ସମ୍ବଲପୁରର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ସମୃଦ୍ଧ କୃଷକ, ସମୃଦ୍ଧ ସମ୍ବଲପୁର”- ଏହି ସଂକଳ୍ପକୁ ପାଥେୟ କରି ଜିଲ୍ଲାର କୃଷି ଅର୍ଥନୀତିକୁ ଆଗକୁ ନେବା ଆମ ଡବଲ ଇଞ୍ଜିନ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ସମ୍ବଲପୁର ଏକ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ ଏଠାରେ ସାଧାରଣ ଚାଷ ସହ ମତ୍ସ୍ୟ ଓ ଦୁଗ୍ଧ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଓ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ଏମସିଏଲ ସହାୟତାରେ ନୂତନ ଗୋଦାମ ନିର୍ମାଣ ପାଇଁ ସହାୟତା ଦିଆଯାଇଛି । ସମ୍ବଲପୁରରେ ଥିବା ଓମଫେଡ୍ ପ୍ଲାଣ୍ଟରୁ କ୍ଷୀର ପାଉଡର, ଦହି ସମେତ ଅନ୍ୟାନ୍ୟ କ୍ଷୀର ଉତ୍ପାଦିତ ସାମଗ୍ରୀ ଉତ୍ପାଦନ କରାଯିବାର ଯୋଜନା ହେଉଛି । ଏହା ଦ୍ୱାରା ସ୍ଥାନୀୟ ଚାଷୀମାନେ ବହୁଳ ଭାବେ ଲାଭବାନ ହେବେ। ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୩୧ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ କିଣାଯାଇସାରିଛି । ବଳକା ପ୍ରାୟ ୧ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ରାଜ୍ୟ ସରକାର ଚାଷୀଙ୍କ ପାଖରେ ଟୋକନ ପହଞ୍ଚାଇଛନ୍ତି । ଏଥିସହିତ ‘କୃଷି ଉଦ୍ୟମୀ’ ଯୋଜନାରେ କୋଟି କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇ ଯୁବପିଢ଼ିଙ୍କୁ ଏହି କ୍ଷେତ୍ରରେ ସ୍ୱାବଲମ୍ବୀ କରିବାକୁ ପ୍ରୟାସ କରାଯାଉଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଲ୍ଲାର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପିଡବ୍ଲୁଡି ଓ ଆରଡି ପକ୍ଷରୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ପାଖାପାଖି ସାଢେ ୩ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସମ୍ବଲପୁରରେ କ୍ରିୟାନ୍ୱୟନ ହେଉଥିବା ରିଙ୍ଗ୍ ରୋଡ୍ ପ୍ରକଳ୍ପ ସମେତ ବିଭିନ୍ନ ସ୍ଥାନରେ ସଡ଼କପଥ ଭିତ୍ତିଭୂମିର ବିକାଶ, ଓଭରବ୍ରିଜ୍ ନିର୍ମାଣ ଏବଂ ଆନୁଷଙ୍ଗିକ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଉଛି । ସେହିପରି କେବଳ ସ୍ଥାନୀୟ ବିକାଶ ନୁହେଁ, ବରଂ ସମ୍ବଲପୁରର ବୌଦ୍ଧିକ ଓ ଶ୍ରମ ଶକ୍ତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ହସ୍ପିଟାଲିଟି ସେକ୍ଟରରେ ଭାରତୀୟ ଶିଳ୍ପ ସଂଘ(ସିଆଇଆଇ) ସହାୟତାରେ ଯୁବବର୍ଗଙ୍କୁ ଚୟନ କରାଯାଇ ଜାପାନ ଓ ଡେନମାର୍କ ଭଳି ଦେଶକୁ ପଠାଯିବାର ଯୋଜନା ହୋଇଛି। କୃଷି, ହର୍ଟିକଲଚର, ମତ୍ସ୍ୟ ଓ ପଶୁପାଳନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରତିଟି ପରିବାରର ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ସମ୍ବଲପୁରକୁ ଏକ ସମୃଦ୍ଧ ଓ ଆଧୁନିକ ଜିଲ୍ଲା ଭାବେ ଗଢ଼ିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି । ଏହି ମେଳା ଅବସରରେ ଶ୍ରୀ ପ୍ରଧାନ କିଛି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିବା ସହ ଏମସିଏଲର ସିଏସଆର ପଦକ୍ଷେପ ଅନ୍ତର୍ଗତ ଚାଷୀମାନଙ୍କୁ ଅଧିକ କ୍ଷୀର ଦେଉଥିବା ଗାଈ ବିତରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking