-ବିଦେଶରେ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଏବଂ ଭାଷାକୁ ପ୍ରୋତ୍ସାହିତ କରିବା ସହ ଏହାର ପ୍ରଚାର ଏବଂ ପ୍ରସାରରେ ପ୍ରବସୀ ଭାରତୀୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
-ପର୍ଯ୍ୟଟନକ୍ଷେତ୍ରର ବିକାଶ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ସ୍ତମ୍ଭ
-ଓଡ଼ିଶା ସରକାରଙ୍କ ନିବେଶ ଅନୁକୂଳ ନୀତି ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଘରୋଇ ତଥା ଆନ୍ତର୍ଜାତୀୟ ନିବେଶକଙ୍କୁ ଆକର୍ଷିତ କରିବ
ଭୁବନେଶ୍ୱର : ବୁଧବାର ଦିନ ୱାର୍ଲଡ ଟ୍ରାଭେଲ ମାର୍କେଟର ଅନ୍ତିମ ଦିବସରେ ‘Tourism Odyssey: Strengthening Ties with Diaspora and Industry Leaders” ଶୀର୍ଷକ ଏକ ବିଶେଷ କାର୍ଯ୍ୟକ୍ରମରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ବିଦେଶରେ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଏବଂ ଭାଷାକୁ ପ୍ରୋତ୍ସାହିତ କରିବା ସହ ଏହାର ପ୍ରଚାର ଏବଂ ପ୍ରସାରରେ ପ୍ରବସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ ଓ ସମ୍ଭାବନାର ଅଭାବ ନାହିଁ। ଓଡ଼ିଶାର ପ୍ରତ୍ୟେକ ପର୍ଯ୍ୟଟନ କ୍ଷେତ୍ର ନିକଟରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସାମର୍ଥ୍ୟ ରହିଛି। ପର୍ଯ୍ୟଟନକ୍ଷେତ୍ରର ବିକାଶ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ସ୍ତମ୍ଭ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅଧିବେଶନରେ ଓଡ଼ିଶା ସରକାରଙ୍କ ନିବେଶ ଅନୁକୂଳ ନୀତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ତଥା ଆନ୍ତର୍ଜାତୀୟ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ ଆଇନ ଏବଂ ବ୍ୟବସ୍ଥା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ ।
ବିଶ୍ୱ ପର୍ଯ୍ୟଟନରେ ଓଡ଼ିଶାର ସ୍ଥିତିକୁ ସୁଦୃଢ ଏବଂ ନୂତନ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟକ୍ରମ ପ୍ରବାସୀ ଭାରତୀୟ ଏବଂ ଶିଳ୍ପପତିମାନଙ୍କ ପାଇଁ ପର୍ଯ୍ୟଟନର ବିକାଶ ତଥା ପ୍ରୋତ୍ସାହନରେ ଓଡିଶା ସହ ସହଯୋଗ କରିବାକୁ ଏକ ଖୋଲା ନିମନ୍ତ୍ରଣ ଭାବରେ କାର୍ଯ୍ୟ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ଓଡିଶା ପର୍ଯ୍ୟଟନର ବିକାଶ ଏବଂ ଓଡ଼ିଶାରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥା ଏବଂ ସମ୍ଭାବ୍ୟ ନିବେଶକମାନଙ୍କ ସହିତ ଦୁଇଟି ସ୍ୱତନ୍ତ୍ର ରାଉଣ୍ଡ ଟେବୁଲ୍ ଆଲୋଚନା ମଧ୍ୟ କରଯାଇଥିଲା। ଆଲୋଚନାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,ପର୍ଯ୍ୟଟନ ସଚିବ ଶ୍ରୀ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଶ୍ରୀ ଅନୁପମ ଶାହା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।