32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶସରକାରଙ୍କ ଆଦେଶକୁ ଅଣଦେଖା; ମହାକୁମ୍ଭ ମେଳା ପାଇଁ ବଢ଼ିଲା ହୋଟେଲ ଦର

ସରକାରଙ୍କ ଆଦେଶକୁ ଅଣଦେଖା; ମହାକୁମ୍ଭ ମେଳା ପାଇଁ ବଢ଼ିଲା ହୋଟେଲ ଦର

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁଆରୀ ମାସରେ ମହାକୁମ୍ଭ ମେଳା ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ଯେ, ପ୍ରୟାଗରାଜରେ ଥିବା ସମସ୍ତ ଅତିଥି ଭବନ, ହୋଟେଲ୍‌ଗୁଡ଼ିକ ସେମାନଙ୍କ ମୂଲ୍ୟ ବୃଦ୍ଧି ନକରନ୍ତୁ। ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ପ୍ରୟାଗରାଜ ଆସି ବୁଡ଼ ପକାଇବାକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସରେ ସହଭାଗୀ ହେବାକୁ ହୋଟେଲ ମାଲିକମାନଙ୍କୁ କୁହାଯାଇଥିଲା। କିନ୍ତୁ ଏବେ ହସ୍ତଗତ ହୋଇଥିବା ଏକ ରିପୋର୍ଟ ଅନୁସାରେ ହୋଟେଲ ମାଲିକ ତଥା ଗେଷ୍ଟ ହାଉସ ମାଲିକମାନେ ସେମାନଙ୍କ ମୂଲ୍ୟ ବୃଦ୍ଧି କରିଛନ୍ତି। ଅନ୍‌ଲାଇନ୍ ବୁକିଂ ଡିମାଣ୍ଡ୍ ବଢ଼ିବା ଦେଖି ହୋଟେଲ ମାଲିକମାନେ ମଧ୍ୟ ମୂଲ୍ୟବୃଦ୍ଧି କରିଛନ୍ତି।

ପ୍ରୟାଗରାଜ କୁମ୍ଭ ମେଳାରେ ଲକ୍ଷଲକ୍ଷ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଜାନୁଆରି ଠାରୁ ମାର୍ଚ୍ଚ ୧୫ ଯାଏଁ ହୋଟେଲ ରୁମଗୁଡ଼ିକର ଦର ଯଥେଷ୍ଟ ପରିମାଣରେ ବଢ଼ିଯାଇଛି। ଯେଉଁ କୋଠରି ପୂର୍ବରୁ ୨୪ ଘଣ୍ଟା ପାଇଁ ୭ରୁ ୮ ହଜାର ଟଙ୍କାରେ ମିଳୁଥିଲା, ତାହା ଏବେ ୪୫ ହଜାର ଟଙ୍କାରେ ବୁକିଂ ହେଉଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ କେବଳ ସ୍ୱତନ୍ତ୍ର ସ୍ନାନ ପର୍ବ ମକର ସଂକ୍ରାନ୍ତି, ଅମାବାସ୍ୟା, ବସନ୍ତ ପଞ୍ଚମୀ ପାଇଁ ଉଦ୍ଦିଷ୍ଟ ବୋଲି ହୋଟେଲ ମାଲିକମାନେ କହୁଛନ୍ତି। ପ୍ରକାଶ, ପ୍ରୟାଗରାଜରେ ମୋଟ୍ ୨୧୮ଟି ହୋଟେଲ ଅଛି। ଏଥିରେ ୧୩୩ଟି ପଞ୍ଜିକୃତ ହୋଟେଲ ସାମିଲ ଅଛନ୍ତି। ଏହିସବୁ ହୋଟେଲଗୁଡ଼ିକରେ ପ୍ରାୟ ୪୦୦୦ କୋଠରୀ ରହିଛି। ସେହିପରି ୨୦୪ ଟି ଅତିଥି ଭବନ ଓ ଧର୍ମଶାଳା ରହିଛି, ଯେଉଁଥିରେ ୧୧୪ଟି ପଞ୍ଜିକୃତ ଥିବା ଜଣାଯାଇଛି। ଏସବୁ ମଧ୍ୟରେ ପ୍ରଶାସନ ପକ୍ଷରୁ ମଧ୍ୟ ମହାକୁମ୍ଭ ମେଳାରେ ସୁବିଧାଯୁକ୍ତ ତିନିଟି ଟେଣ୍ଟ କଲୋନି ନିର୍ମାଣ କରାଯିବ। ଏଥିରେ ୩୦୦୦ ଶିବିରର ବ୍ୟବସ୍ଥା କରାଯିବ। ଏହି ଟେଣ୍ଟ କଲୋନିରେ ବେଡରୁମ, ପ୍ରତିକ୍ଷାଗାର, ଅତ୍ୟାଧୁନିକ ଶୌଚାଳୟ, ଫର୍ଣ୍ଣିଚର ଡ୍ରଇଂ ରୁମ୍ ମଧ୍ୟ ରହିବ ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking