ନୂଆଦିଲ୍ଲୀ: ଆଇଟି ପ୍ରଫେସନାଲଙ୍କ ପାଇଁ ସତର୍କ ଘଣ୍ଟି । ଘଣ୍ଟା ଘଣ୍ଟା ଧରି ସିଷ୍ଟମ ସାମନାରେ ବସି ରହୁଥିଲେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଲିଭର ଜନିତ ସମସ୍ୟାର ସାମନା କରିବେ ଆଇଟି ଚାକିରିଆ । ଓଭର ଡ୍ୟୁଟି, ଅତ୍ୟଧିକ ଷ୍ଟ୍ରେସ, ମୋଟପଣ ଓ ଲିଭର ଜନିତ ରୋଗର କାରଣ ହୋଇଥାଏ । ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟି ଏକ ରିସର୍ଚ୍ଚରୁ ଏଭଳି ସାଙ୍ଘାତିକ ତଥ୍ୟର ଖୁଲାସା କରିଛି । ସ୍ୱାସ୍ଥ୍ୟ ବିଜ୍ଞାନର ପ୍ରଫେସର କଲ୍ୟାଣ କୁମାର ମହାଦେବ, ରିସର୍ଚ୍ଚର ପ୍ରଫେସର ଅନୀତା,ଭାର୍ଗଭ ଓ ନନ୍ଦିତା ପ୍ରମୋଦ ଦୀର୍ଘ ବର୍ଷ ଧରି ଆଇଟି ଚାକିରିଆଙ୍କ ଚାକିରି ପରିବେଶ ଉପରେ ରିସର୍ଚ୍ଚ କରିଥିଲେ । ସେମାନଙ୍କ ଚାକିରି କିପରି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହାକୁ ନେଇ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚ ଟିମ୍ ବ୍ୟକ୍ତିଗତ ଭାବେ ଆଇଟି ଚାକିରିଆଙ୍କୁ ଭେଟି ହସ୍ପିଟାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ଆଇଟି ଚାକିରିଆଙ୍କ କ୍ଷେତ୍ରରେ ଫ୍ୟାଟି ଲିଭର ଡିଜିଜ (ଏମଏଏଫଏଲଡି) ରହିଛି ।
ହାଇକ୍ୟାଲୋରୀ ଯୁକ୍ତ ଡାଏଟ, ଚିନିଯୁକ୍ତ ସଫ୍ଟ ଡ୍ରିଙ୍କଜ୍ଞ ସହ ଲଗାତାର କମ୍ପ୍ୟୁଟର ସାମନାରେ ବସିବା ଯୋଗୁଁ ମୋଟାପଣ ଓ ଲିଭର ସମସ୍ୟା ଆଇଟି ପ୍ରଫେସନାଲଙ୍କ ପାଇଁ ସାଧାରଣ କଥା ହୋଇପଡିଛି । ଆହୁରି ଅଧିକ ରିସର୍ଚ୍ଚ ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଥିବା ତଥ୍ୟକୁ ସାଇଣ୍ଟିଫିକ୍ ରିସର୍ଚ୍ଚ ଜର୍ଣ୍ଣାଲକୁ ହସ୍ତାନ୍ତର କରାଯାଇଛି । ଯଦିଓ ଆଇଟି କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କ ପାଇଁ ନିୟମିତ ଡାକ୍ତରୀ ଯାଞ୍ଚ କରନ୍ତି। ତଥାପି ଯକୃତ ପରୀକ୍ଷାଗୁଡ଼ିକୁ ପ୍ରାୟତଃ ଅଣଦେଖା କରାଯାଏ। ଫ୍ୟାଟି ଲିଭର ରୋଗର ପ୍ରକୋପ ଆଶାଠାରୁ ବହୁତ ଅଧିକ। ମେଦବହୁଳ ଏବଂ ଯକୃତ ରୋଗର ମୁକାବିଲା କରିବା ପାଇଁ କର୍ମଚାରୀମାନଙ୍କୁ ନିୟମିତ ଶାରୀରିକ ବ୍ୟାୟାମ, ଡାକ୍ତରୀ ସ୍କ୍ରିନିଂକୁ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବାକୁ ପଡିବ। ଏହି ଅଧ୍ୟୟନ ଆଇଟି ଚାକିରିଆଙ୍କ ପାଇଁ ଏକ ଚେତାବନୀ । ସେମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ସହ ଦୀର୍ଘକାଳୀନ ଜଟିଳତାକୁ ଏଡାଇବା ପାଇଁ ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ।










